ନାଁକୁ କେବଳ ପେଡିଆଟ୍ରିକ୍ କାଜୁଆଲ୍ଟି: ବେଡ୍ ନାହିଁ, ମା’କୋଳରେ ଶୋଉଛନ୍ତି ରୋଗୀ

Get real time updates directly on you device, subscribe now.

କଟକ,(ବି.ବି.ନ୍ୟୁଜ୍): ଏସ୍ସିବି ଡାକ୍ତରଖାନାର ଶିଶୁ ରୋଗ ବିଭାଗ ଏବେ ସରକାରଙ୍କ ଦୃଷ୍ଟି ଆଡ଼ୁଆଳରେ ରହିଯାଇଛି । ଡାକ୍ତରଖାନାର କିଛି କିଛି ବିଭାଗର ଭିତ୍ତିଭୂମିରେ ଯାହା ଯେମିତି ସୁଧାର ଆସିଥିଲା ବେଳେ ଶିଶୁ ରୋଗ ବିଭାଗର ଅବସ୍ଥା କିନ୍ତୁ ଦିନକୁ ଦିନ ଶୋଚନୀୟ ହୋଇପଡୁଛି । ଯଦି କେହି ଶିଶୁ ଗୁରୁତର ହୋଇ ଏସ୍ସିବି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସୁଛି, ଏଠାରେ ସମ୍ପୃକ୍ତ ରୋଗୀକୁ ସହଜରେ ଚିକିତ୍ସା ମିଳିବା ଏକରକମ ଅସମ୍ଭବ ହୋଇପଡୁଛି । ଏପଟ ସେପଟ ହେବା ମଧ୍ୟରେ ରୋଗୀର ଅବସ୍ଥା ଅଧିକ ଖରାପ ହୋଇପଡୁଛି । କେବଳ ଗୋଟିଏ ମାତ୍ର ୟୁନିଟ୍ରେ ରାଜ୍ୟର ଏହି ପ୍ରମୁଖ ଏସ୍ସିବି ଶିଶୁ ରୋଗ ବିଭାଗ ସୀମିତ ରହିଛି । ଆଉଟ୍ଡୋର୍ ଯାହା ଯେମିତି ପେଲିଠେଲି ହୋଇ ଚିକିତ୍ସା ଚାଲିଥିବା ବେଳେ ଶିଶୁ ରୋଗୀଙ୍କ ପାଇଁ ଥିବା ଆଶୁଚିକିତ୍ସା କେନ୍ଦ୍ର(କାଜୁଆଲଟି) ଅବସ୍ଥାରେ କିନ୍ତୁ ସୁଧାର ଆସିପାରୁନାହିଁ । ଫଳରେ ଗୁରୁତର ଅବସ୍ଥାରେ ଶିଶୁ ରୋଗୀମାନେ ଚିକିତ୍ସା ପାଇଁ ଆସି ବହୁ ହୀନସ୍ତା ହେଉଥିବା ଜଣାପଡିଛି । ମେଡିକାଲ୍ କାଉନସିଲ୍ ଅଫ୍ ଇଣ୍ଡିଆ (ଏମ୍ସିଆଇ)ର ତାଗିଦ୍ ପରେ ପ୍ରାୟ ୫ବର୍ଷ ତଳେ ଏସ୍ସିବି ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲର ଶିଶୁ ରୋଗୀଙ୍କ ଚିକିତ୍ସା ଲାଗି ଏକ ପେଡିଆଟ୍ରିକ୍ କାଜୁଆଲ୍ଟି (ଆଶୁ ଚିକିତ୍ସା କେନ୍ଦ୍ର) ଖୋଲାଯାଇଥିଲା । ଏହାର ମୂଳ ଲକ୍ଷ୍ୟ ଥିଲା, ଗୁରୁତର ଶିଶୁ ରୋଗୀମାନଙ୍କୁ ଜରୁରୀ ଚିକିତ୍ସା ଯୋଗାଇଦେବା । ମାତ୍ର ଏହି ଆଶୁଚିକିତ୍ସା କେନ୍ଦ୍ର ଏବେ ମୂଳଲକ୍ଷ୍ୟଠାରୁ ବହୁ ଦୂରରେ ରହିଛି । ଭିତ୍ତିଭୂମି ଅଭାବରୁ ଉକ୍ତ ଆଶୁଚିକିତ୍ସାକେନ୍ଦ୍ରର ଅବସ୍ଥା ଶୋଚନୀୟ ହେଇପଡିଛି । ଫଳରେ ଏହି ପେଡିଆଟ୍ରିକ୍ କାଜୁଆଲ୍ଟି ଏବେ କେବଳ ଲୋକଦେଖାଣିଆ ଭାବେ ରହିଛି । ଉକ୍ତ ଆଶୁଚିକିତ୍ସା କେନ୍ଦ୍ରରେ ଯଦି କେହି ଗୁରୁତର ହୋଇ ଚିକିତ୍ସା ପାଇଁ ଆସୁଛି, ଏଠାରେ ୱାର୍ଡରେ ରହି ଚିକିତ୍ସା ହେବା ଭଳି ସୁବିଧା ନାହିଁ । ବାରଣ୍ଡାରେ ଯେଉଁ ଗୋଟିଏ ଟିଣ ଖଟିଆ ପଡ଼ିଛି, ତା ଉପରେ ରୋଗୀ ଶୋଇଲା ଭଳିଆ ମଧ୍ୟ ସୁଯୋଗ ନାହିଁ । ଝାଡ଼ିବାନ୍ତି କିମ୍ବା ଅତ୍ୟଧିକ ଜ୍ୱରରେ ଆକ୍ରାନ୍ତ ହୋଇଆସୁଥିବା ଶିଶୁ ରୋଗୀଙ୍କୁ ଏଠାରେ ଜରୁରୀ ଚିକିତ୍ସା ଛାଡ଼ିଦେଲେ ଅନ୍ୟ ରୋଗୀଙ୍କୁ ମୁଖ୍ୟ ଆଶୁଚିକିତ୍ସା କେନ୍ଦ୍ରକୁ ପଠାଇ ଦିଆଯାଇଥାଏ । ଝାଡ଼ିବାନ୍ତି କିମ୍ବା ଜ୍ୱରରେ ଆକ୍ରାନ୍ତ ହୋଇ ଗୁରୁତର ହୋଇପଡୁଥିବା ଶିଶୁ ରୋଗୀମାନଙ୍କୁ ବେଡ୍ରେ ରହି ଚିକିତ୍ସା ସୁବିଧା ନଥିବାରୁ ରୋଗୀମାନେ ମା’ କିମ୍ବା ସମ୍ପର୍କୀୟଙ୍କ କୋଳରେ ପଡ଼ି ସାଲାଇନ୍, ଇଞ୍ଜେକସନ୍ ଆଦି ନେଇଥାନ୍ତି । ଅନ୍ୟପକ୍ଷରେ ନିଆଁରେ ପୋଡ଼ି ହୋଇଆସୁଥିବା ଶିଶୁ, ଦୁର୍ଘଟଣାଗ୍ରସ୍ତ ଶିଶୁ ଯଦି ଖଣ୍ଡିଆଖାବରା କିମ୍ବା ରକ୍ତାକ୍ତ ହୋଇ ଗୁରୁତର ଅବସ୍ଥାରେ ଯଦି ଏହି ପେଡିଆଟ୍ରିକ୍ କାଜୁଆଲଟିକୁ ଚିକିତ୍ସା ପାଇଁ ଆସିଥାନ୍ତି, ଏଠାରେ ଚିକିତ୍ସା ସୁବିଧା ନଥିବାରୁ ଡାକ୍ତର ଅନ୍ୟତ୍ର ସ୍ଥାନାନ୍ତର କରି ନିଜ ହାତଝାଡ଼ି ଦେଇଥାନ୍ତି । ସେହିପରି ଡାକ୍ତର ଅଭାବରୁ ଉକ୍ତ ଆଶୁଚିକିତ୍ସା କେନ୍ଦ୍ରରେ ପିଜି ଛାତ୍ରଙ୍କ ଦୟାରେ ଏବେ ଚିକିତ୍ସା ଚାଲିଛି । ଶିଶୁ ରୋଗ ବିଭାଗ ୱାର୍ଡ କଥା ନକହିବା ଭଲ, ଉକ୍ତ ୱାର୍ଡରେ ମରାମତି ନାଁରେ ଏବେ ମନମାନି ଚାଲିଛି । ୱାର୍ଡ ଭିତରୁ ବେଡ୍ଗୁଡ଼ିକୁ ବାହାରକୁ ଆଣି ବାରଣ୍ଡାରେ ପକାଯାଇଛି । ବାରଣ୍ଡାରେ ପଡ଼ିଥିବା ବେଡ୍ ଉପରେ ଏବେ ଶିଶୁ ରୋଗୀମାନେ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳୁଛି । ବାରଣ୍ଡାରେ ପଡି ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଥିଲେ ହେଁ ଏଥିପ୍ରତି କାହାରି ନଜର ନାହିଁ । ୱାର୍ଡରେ ଚିକିତ୍ସାଧିନ ଅବସ୍ଥାରେ ଯଦି କୌଣସି ଶିଶୁ ରୋଗୀର ଅବସ୍ଥାରେ ଅସ୍ୱାଭାବିକ ପରିବର୍ତ୍ତନ ହୋଇ ଗୁରୁତର ହୋଇପଡେ ତେବେ ସମ୍ପୃକ୍ତ ରୋଗୀଙ୍କୁ ନେଇ ଅଭିଭାବକଙ୍କ ମହଲରେ ଭାଳେଣି ପଡିଥାଏ । ୱାର୍ଡରେ ଆଇସିୟୁ ନଥିବାରୁ ଗୁରୁତର କିମ୍ବା ଜଟିଳ ଅବସ୍ଥାରେ ରୋଗୀଙ୍କୁ ଏଠାରେ ଚିକିତ୍ସା ମିଳିବା ବଡ଼ କଷ୍ଟକର ବ୍ୟାପର । ୱାର୍ଡରେ ଆଇସିୟୁ ନଥିବାରୁ ଦୀର୍ଘ ବର୍ଷ ହେଲା ଏଠାରେ ରୋଗୀମାନେ ନାହିଁନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ଉକ୍ତ ୱାର୍ଡରେ ହାଇଡେପିଡେନ୍ସି ୟୁନିଟ୍(ଏଚ୍ଡିୟୁ) ରହିଛି । ଉକ୍ତ ୟୁନିଟ୍ରେ ମାତ୍ର ୫ଟି ବେଡ୍ ବେଡ୍ ରହିଛି । ସାମାନ୍ୟ ଗୁରୁତର ଥିବା ରୋଗୀଙ୍କୁ ଏଠାରେ ଚିକିତ୍ସା ପାଇଁ ବ୍ୟବସ୍ଥା ରହିଥିଲେ ମଧ୍ୟ ଅନେକ ବ୍ୟବସ୍ଥାର ଅଭାବ ରହିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons