ନୂଆପଡ଼ା,(ବି.ବି.ନୁ୍ୟଜ): ନୂଆପଡ଼ା ଜିଲ୍ଲା ସଦର ବ୍ଲକ ଜେଞ୍ଜରା ଗାଁର ଚାଷୀ ନବୀନ ଠାକୁରଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି କାର୍ଯ୍ୟକ୍ରମ ଜରିଆରେ ନବୀନ କିପରି ଲାଭବାନ ହୋଇଛନ୍ତି, ଉକ୍ତ ଟଙ୍କାକୁ ସେ କିଭଳି ନିଜ ଚାଷକାର୍ଯ୍ୟରେ ବିନିଯୋଗ କରିଛନ୍ତି ତାହା ପଚାରି ବୁଝିଥିଲେ । ପ୍ରଧାନମନ୍ତ୍ରୀଙ୍କ ସହିତ ସମୁଦାୟ ୪ ମିନିଟ ୧୧ ସେକେଣ୍ଡର ଆଲୋଚନା ତାଙ୍କୁ ଅନୁପ୍ରାଣିତ କରିଛି ଏବଂ ଆଗାମୀ ଦିନରେ ନୂଆ କିଛି କରିବା ପାଇଁ ତାଙ୍କୁ ଉଦ୍ବୁଦ୍ଧ କରିବ ବୋଲି ନବୀନ କହିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ଆଜି ଓଡିଶା ସମେତ ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ତାମିଲନାଡୁ, ମହାରାଷ୍ଟ୍ର, ହରିୟାଣା, ଅରୁଣାଚଳ ପ୍ରଦେଶ ଆଦି ୭ଟି ରାଜ୍ୟର ୭ ଜଣ ଚାଷୀଙ୍କ ସହ ଭିଡିଓ କନଫରେନ୍ସ ଯୋଗେ ସିଧା ସଳଖ କଥା ହୋଇଥିଲେ । ମଧ୍ୟାହ୍ନ ପ୍ରାୟ ୧୨ଟାରେ ନୂଆପଡ଼ା ଜିଲ୍ଲାର ଜେଞ୍ଜରା ଗ୍ରାମର ଚାଷୀ ଶ୍ରୀ ଠାକୁରଙ୍କ ସହିତ ଆଲୋଚନା କରିଥିଲେ । ଏହି ଅବସରରେ ମୋଦି ଚାଷୀ ଶ୍ରୀ ଠାକୁରଙ୍କୁ ୩ ଟି ପ୍ରଶ୍ନ ପଚାରିଥିଲେ । ଆପଣଙ୍କ ବିଷୟରେ କୁହନ୍ତୁ? ଆପଣ କି ପ୍ରକାର ଚାଷରେ ଜୋଡି ରହିଛନ୍ତି ଓ କେଉଁ ଚାଷ କରିବାରେ ରୁଚି ରଖିଛନ୍ତି ବୋଲି ପଚାରିଥିଲେ । ପ୍ରଧାନମନ୍ତ୍ରୀଙ୍କ ପ୍ରଶ୍ନର ଉତ୍ତର ଦେଇ ଚାଷୀ ଶ୍ରୀ ଠାକୁର କହିଲେ ଯେ, ତାଙ୍କ ପରିବାରରେ ୫ ଜଣ ସଦସ୍ୟ ଅଛନ୍ତି । ସେ ଜେଞ୍ଜରା ଗାଁର ଏକ କ୍ଷୁଦ୍ର ଚାଷୀ । ତାଙ୍କର ୧ ଏକର ୪୦ ଡେସିମିଲ ଜମି ରହିଛି । ଏହି ଚାଷଜମିରେ ଧାନ ଫସଲ କରିବା ସହ ଅନ୍ୟାନ୍ୟ ଫସଲ କରିବାରେ ଆଗ୍ରହ ରଖିଥିବା କହିଥିଲେ । ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନାରେ କଣ ଲାଭ ହୋଇଛି ଏବଂ ଏହି ଅର୍ଥକୁ କିଭଳି ଉପଯୋଗ କରିଛନ୍ତି ବୋଲି ପଚାରିବାରୁ ଶ୍ରୀ ଠାକୁର କହିଲେ ଯେ ସେ ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନାରେ ୫ଟି କିସ୍ତିରେ ୧୦ହଜାର ଟଙ୍କା ସହାୟତା ରାଶି ପାଇଛନ୍ତି । ଏହି ଅର୍ଥକୁ ବିହନ, ରାସାୟନିକ ସାର, କୀଟନାଶକ ଓ ଶ୍ରମିକ ମଜୁରୀ ବାବଦରେ ଖର୍ଚ୍ଚ କରିଛନ୍ତି । ଏବେ ଚାଷ ସହ ପଶୁପାଳନ ପାଇଁ ଯୋଜନା କରିଥିବା ଚାଷୀ ଶ୍ରୀ ଠାକୁର କହିଥିଲେ । ସେହିପରି କିଶାନ କ୍ରେଡିଟ କାର୍ଡରେ କେବେ ସହାୟତା ରାଶି ମିଳିଛି ଓ ତାକୁ କିପରି ବ୍ୟବହାର କରିଛନ୍ତିି ବୋଲି ପ୍ରଧାନମନ୍ତ୍ରୀ ପଚାରିଥିଲେ । ପ୍ରଧାନମନ୍ତ୍ରୀଙ୍କ ପ୍ରଶ୍ନର ଉତ୍ତର ଦେଇ ନବୀନ କହିଥିଲେ ଯେ ୨୦୧୯ ମାର୍ଚ୍ଚ ମାସରେ କିଶାନ କ୍ରେଡିଟ କାର୍ଡ ମିଳିଥିଲା । ସେ ୩ଶତକଡା ସୁଧରେ ଋଣ ଶୁଝିବା ପରେ ତାଙ୍କୁ ୪ଶତକଡା ସୁଧହାରରେ ୨୭ ହଜାର ଟଙ୍କାର ଋଣ ମିଳିଛି । ପୂର୍ବରୁ ଅଧିକ ୨୦ ଶତକଡା ସୁଧହାରରେ ଋଣ ନେବାକୁ ପଡୁଥିଲା । ଏବେ ୪ ଶତକଡା ହାରରେ ଋଣ ମିଳିବାରୁ ସେ ଆର୍ଥିକସ୍ତରରେ ଲାଭବାନ ହୋଇଛନ୍ତି । ଏହି ଅର୍ଥକୁ ରାସାୟନିକ ସାର ଓ ବିହନ କିଣିବାରେ ବ୍ୟବହାର କରିଛି । ପ୍ରଧାନମନ୍ତ୍ରୀ କିଶାନ ଯୋଜନା ଓ କିଶାନ କ୍ରେଡିଟ କାର୍ଡରେ ଲାଭଉଠାଇ ନିଜ ଜୀବନ ଶୈଳୀରେ ପରିବର୍ତ୍ତନ ଆସିଥିବାରୁ ଚାଷୀ ଶ୍ରୀ ଠାକୁର ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।
ଓଡ଼ିଶାର କେନ୍ଦ୍ରପଡ଼ା, ମାଲକାନଗିରି ଓ ନୂଆପଡ଼ା ଜିଲ୍ଲାର ଜଣେ ଲେଖାଏଁ ଚାଷୀଙ୍କ ନାଁ ସୁପାରିସ ହୋଇଥିଲା । ସେଥିରେ ରାଜ୍ୟରୁ ନୂଆପଡ଼ା ଜିଲ୍ଲା ସଦର ବ୍ଲକ ଜେଞ୍ଜରା ଗାଁର ନବୀନ ଠାକୁରଙ୍କ ନାଁ ଚୟନ ହୋଇଥିଲା । ଆଜି ଚାଷୀ ଶ୍ରୀ ଠାକୁର ପ୍ରଧାନମନ୍ତ୍ରୀଙ୍କ ସହ ବାର୍ତ୍ତାଲାପ କରି ବହୁତ ଖୁସିବ୍ୟକ୍ତ କରିଛନ୍ତି । ଏହି ସମୟରେ ଅତିରିକ୍ତ ଜିଲ୍ଲାପାଳ ଅଗସ୍ତୀ ପ୍ରଧାନ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ବାବାଜୀ ଚରଣ ବେହେରା, ବ୍ଲକ କୃଷି ଅଧିକାରୀ ହିମାଂଶୁ ମହାପାତ୍ର,ଆତ୍ମା ଉପ ପ୍ରକଳ୍ପ ନିଦେ୍ର୍ଧଶକ ସୁଧାଂଶୁ ଶେଖର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.