ପୁଲିସକୁ ଦେଖାଇଲେ ବନ୍ଧୁକ ଗୋଦାମ

Get real time updates directly on you device, subscribe now.

କଟକ,(ବି.ବି.ବୁ୍ୟରୋ): ଦି’ ଦି’ ଥର ପୁଲିସ ଯାଞ୍ଚ୍ ପରେ ବି ସିଡିଏ ସେକ୍ଟର-୯ରେ ଥିବା ଡି’ ବ୍ରଦର୍ସଙ୍କ ଘର ଡି-ହାଉସ୍ରେ ଲୁଚା ହୋଇରହିଥିଲା ବିପୁଳ ବନ୍ଧୁକ ଓ ଗୁଳି । ଦୁଇ କୁଖ୍ୟାତ ଭାଇ ସୁଶାନ୍ତ ଓ ସୁଶୀଲ ଦଳସାମନ୍ତ ଆଜି ପୁଲିସ ହେପାଜତ୍ରେ ଆସି ଘରେ ଲୁଚା ହେଇରହିଥିବା ବନ୍ଧୁକ, ଗୁଳି, ଅନ୍ୟାନ୍ୟ ମାରଣାସ୍ତ୍ରର ଗୁପ୍ତ ଗୋଦାମ ଦେଖାଇଛନ୍ତି । ଘର ଭିତର ସାରା ଇଣ୍ଟେରିଅର୍ ସାଜସଜ୍ଜା ଆଳରେ ତିଆରି ହୋଇଥିବା ବନ୍ଧୁକ ଗୋଦାମ । ଘର ଛାତ, କାନ୍ଥ, କପ୍ବୋର୍ଡ ଭିତରେ ଅତିଚତୁରତାର ସହ ବନ୍ଧୁକ, ଗୁଳି ରଖାଯାଇଛି । ରିମାଣ୍ଡରେ ଆସି ଦୁଇ ଭାଇ ପୁଲିସ ଆଗରେ ୟେ’ ରହସ୍ୟ ଖୋଲିଥିଲେ । ପରେ ଦୁଇ ଭାଇଙ୍କୁ ପୁଲିସ ଡି’ ହାଉସ୍କୁ ନେଇ କାନ୍ଥ, ଛାତ ଆଦି ତାଡ଼ି ବନ୍ଧୁକ, ଗୁଳି ବାହାର କରୁଛି । ପୁଲିସର ଯାଞ୍ଚ୍୍ ରାତି ପର୍ଯ୍ୟନ୍ତ ଜାରି ରହିଛି । ଆସନ୍ତାକାଲି ଜବତ ଗୁଳି, ବନ୍ଧୁକ ସଂପର୍କରେ ସୂଚନା ଦେବ ବୋଲି ଅନୁମାନ କରାଯାଉଛି ।
ଗିରଫଦାରୀର ଦୀର୍ଘ ୫ ବର୍ଷ ପରେ ଡି’ ବ୍ରଦର୍ସଙ୍କ ଜଣେ ବନ୍ଧୁକ ଯୋଗାଡ଼ିଆ ଦରାପଡ଼ିବା ପରେ ଡି’ ସାମ୍ରାଜ୍ୟର ନୂଆ ଗୁମର ଖୋଲିବାରେ ଲାଗିଛି । ଖାସ୍କରି ବନ୍ଧୁକ କାରବାର ଲିଙ୍କ୍ ଦରିବା ନେଇ ପୁଲିସ ତନାଘନା କରୁଛି । ଏହି କ୍ରମରେ ଦୁଇ ଭାଇଙ୍କୁ ଗତକାଲି ସନ୍ଧ୍ୟାରୁ ପୁଲିସ ରିମାଣ୍ଡରେ ଆଣି ଜେରା କରିବା ପରେ ବହୁ ତଥ୍ୟ ହସ୍ତଗତ ହୋଇଛି । ଏହି ତଥ୍ୟ ଆଦାରରେ ଡି’ହାଉସ୍ରେ ପୁନର୍ବାର ଆଜି ଖୋଳତାଡ଼ କରାଯାଇଛି । ପ୍ରଥମେ ଡି’ ହାଉସ୍କୁ ବଡ଼ ଭାଇ ସୁଶାନ୍ତ ଦଳସାମନ୍ତକୁ ନିଆଯାଇଥିଲା । ଦୀର୍ଘ ୩ ଘଣ୍ଟା କାଳ ସେଠାରେ ଯାଂଚ ପରେ ପୁଲିସ ହାତରେ ବିଶେଷ ଗୁଳିଗୋଳା ଲାଗି ନଥିଲା । ପରେ ସେଠାରୁ ସାନ ଭାଇ ସୁଶୀଲ ଦଳସାମନ୍ତକୁ ଅଣାଯାଇଥିଲା । ଆଉ ସୁଶୀଲ ଆସିବ ପରେ ଉକ୍ତ ଘରୁ ନୂଆ ବନ୍ଧୁକ ଗୋଦାମ ଠାବ ହୋଇଥିଲା । କିଛି ସିକ୍ରେଟ୍ ଚାମ୍ବର, ଇଣ୍ଟେରିଅର୍ ତଳେ ବନ୍ଧୁକ ଗୁଳି ଲୁଚାଯାଇ ରଖାଯାଇଥିଲା । ଯାହାକୁ ପୁଲିସ ଖୋଳିତାଡ଼ି ବାହାର କରିଥିଲା । ଏହି କାମକୁ ଅଦିକ ସହଜ କରିବା ପାଇଁ ପୁଲିସ ଜଣେ ଇଣ୍ଟେରିଅର୍ ଡିଜାଇନର ସହିତ ଆଉ କିଛି କର୍ମଚାରୀଙ୍କୁ ସାଙ୍ଗରେ ନେଇ ଯାଇଥିଲା । ସନ୍ଧ୍ୟା ସୁଦ୍ଧା ସୁଶୀଲର ସୂଚନା କ୍ରମେ ପ୍ରଚୁର ମାତ୍ରାରେ ବନ୍ଧୁକ ଓ ଗୁଳି ଜବତ ହୋଇଛି । ସେହିପରି ଏକ କପ୍ବର୍ଡରୁ ଲକ୍ଷାଦିକ ଟଙ୍କା ମଧ୍ୟ ଜବତ ହୋଇଛି । ତେବେ କିଛି ତଥ୍ୟ ସୁଶୀଲ ଲୁଚାଉଥିବା ପୁଲିସ ଆଶଙ୍କା କରୁଛି । ତେଣୁ ଡି’ ହାଉସ୍ରୁ ସୁଶୀଲକୁ ପୁନର୍ବାର ଥାନାକୁ ଫେରାଇ ଆଣିବା ପରେ ଇଣ୍ଟେରିଅର ଡିଜାଇନରଙ୍କ ସହଯୋଗରେ ଡି’ ହାଉସ୍ର ଅନ୍ୟ କିଛି ଅଂଶକୁ ଭଙ୍ଗାଯାଇ ବନ୍ଧୁକ ଖୋଜା ଚାଲିଛି । ରାତି ତମାମ୍ ଏହି କାମ ଜାରି ରହିବ । ତେବେ ସକାଳ ସୁଦ୍ଧା ଆଉ କିଛି ବନ୍ଧୁକ ଓ ଗୁଳି ସେଠାରୁ ମିଳିବ ବୋଲି ପୁଲିସ ଆଶା ରଖିଛି । ରିମାଣ୍ଡ ପରେ ଜେରା ଓ ଡି’ ହାଉସ୍ରେ ଖୋଳତାଡ଼ ପରେ ମିଳିଥିବା ଅସ୍ତ୍ରଶସ୍ତ୍ର ବିଷୟରେ ସବିଶେଷ ତଥ୍ୟ ଆସନ୍ତାକାଲି ଡିସିପି ପ୍ରତୀକ ସିଂହ ଏକ ସାମ୍ବାଦିକ ସମ୍ମିଳନୀ ସୂଚନା ପ୍ରଦାନ କରିବେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons