ରାଉରକେଲା,(ବି.ବି.ନୁ୍ୟଜ): ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ଅନ୍ତର୍ଗତ ନୂଆଗାଁ ବ୍ଲକର ବିଶପୁର ସିଂହଟୋଲାରେ ଘଟି ଯାଇଛି ଲୋମଟାଙ୍କୁରା ଘଟଣା । ଜମିବାଡ଼ି ବିବାଦକୁ କେନ୍ଦ୍ର କରି ପୁଅ ନିଜ ବାପାମା’ଙ୍କୁ ପନିକିରେ ଆକ୍ରମଣ କରିବା ସହ ଶିଳପୁଆରେ ଛେଚି ହତ୍ୟା କରିଛି । ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବ ଦ୍ୱୟକୁ ଜବତ କରିବା ସହ ଅଭିଯୁକ୍ତ ପୁଅକୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ।
ବିଶପୁର ଗ୍ରାମର ମୂଳବାସିନ୍ଦା ମନବୋଧ ସିଂହ (୬୫) ତାଙ୍କ ପତ୍ନୀ ଲିଲା ସିଂହ (୬୦) ସପରିବାର ରହୁଛନ୍ତି । ତାଙ୍କର ଦୁଇ ପୁଅ ଜୟସିଂ ସିଂହ ଓ ସୁନିଲ ସିଂହ ମଧ୍ୟ ସେଠାରେ ରହୁଛନ୍ତି । ଜୟସିଂ ବିବାହ କରିଥିବା ବେଳେ ସୁନୀଲ ଅବିବାହିତ ଅଛନ୍ତି । ସେପଟେ ଜୟସିଂ ଅଧିକାଂଶ ସମୟରେ ବାହାର ରାଜ୍ୟକୁ ଯାଇ ଶ୍ରମିକ ଭାବେ କାମ କରନ୍ତି । ମଝିରେ ମଝିରେ ନିଜ ଗାଁକୁ ଆସନ୍ତି । କିଛି ମାସ ପୂର୍ବରୁ ହିଁ ଜୟସିଂ ଗାଁକୁ ଫେରିଥିଲେ । ଏହି ସମୟରେ ସୁନୀଲଙ୍କ ବିବାହ କଥା ତାଙ୍କ ମା’ ଉଠାଇଥିଲେ ଏବଂ ବିବାହ ପାଇଁ ଜମି ବିକିବା ଲାଗି ପରିବାର ମଧ୍ୟରେ ଆଲୋଚନା ହେଉଥିଲା । ଜମି ବିକିବା କଥା ଆଲୋଚନା ହେବା ମାତ୍ରେ ପରିବାର ମଧ୍ୟରେ ଦେଖା ଦେଉଥିଲା ଅସନ୍ତୋଷ । ଆଜି ସକାଳେ ମଧ୍ୟ ଅନୁରୂପ ଭାବେ ଜମି କିଣାବିକାକୁ ନେଇ ଲିଲା ସିଂହ ଘରେ ଆଲୋଚନା କରୁଥିବା ବେଳେ ଏଥିରେ ହଠାତ ରାଗି ଯାଇ ଜୟସିଂ ମା’ ଓ ବାପାଙ୍କୁ ଶିଳପୁଆ ଓ ପନିକିରେ ଆକ୍ରମଣ କରିଥିଲେ । ଏଥିରେ ମନବୋଧ ଓ ଲିଲା ଉଭୟଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ବେଳେ ଘଟଣା ସ୍ଥଳରେ ହିଁ ସେମାନଙ୍କର ମୃତୁ୍ୟ ଘଟିଥିଲା । ଜୟସିଂଙ୍କ ଉଗ୍ରରୂପ ଦେଖି ଘରେ ଥିବା ତାଙ୍କ ପତ୍ନୀ ଭୟଭୀତ ହୋଇ ପଡ଼ିଥିଲେ ହେଁଁ ଘଟଣା ସ୍ଥଳକୁ ଯାଇ ସ୍ୱାମୀଙ୍କୁ ବାରଣ କରିଥିଲେ । ହେଲେ ରକ୍ତମୁଖା ଜୟସିଂ ତାଙ୍କ ପତ୍ନୀଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଫଳରେ ପତ୍ନୀଙ୍କ ହାତରେ ଗଭୀର ଆଘାତ ଲାଗିଛି । ଘଟଣା ସମୟରେ ସୁନୀଲ ମଧ୍ୟ ଘରେ ନଥିଲେ । ଏହାର ସୁଯୋଗ ନେଇ ଜୟସିଂ ଏଭଳି କାଣ୍ଡ ଭିଆଇ ଥିଲେ । ଖବର ପାଇ ବିଶ୍ରା ପୁଲିସ୍ ସାଇଣ୍ଟିଫିକ୍ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଦ୍ୱୟକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ହତ୍ୟାରେ ବ୍ୟବହୃତ ପନିକି ଓ ଶିଳପୁଆକୁ ଜବତ କରିଛି । ଅଭିଯୁକ୍ତ ଜୟସିଂଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ।
Comments are closed, but trackbacks and pingbacks are open.