ନୂଆଦିଲ୍ଲୀ:ଭାରତରେ ସ୍ୱାସ୍ଥ୍ୟ, ବିଦ୍ୟାଳୟ ଶିକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ହୋଇଥିବା ପ୍ରଗତି ଯୋଗୁ ବୃହତ୍ ସଂଖ୍ୟକ ଲୋକ ଦାରିଦ୍ର୍ୟମୁକ୍ତ ହୋଇଛନ୍ତି । ମିଳିତ ଜାତିସଂଘର ଏକ ରିପୋର୍ଟ ଅନୁସାରେ ୨୦୦୬ରୁ ୨୦୧୬ ମଧ୍ୟରେ ଭାରତରେ ରେକର୍ଡ ୨୭.୧୦ କୋଟି ଲୋକ ଦାରିଦ୍ର୍ୟରୁ ବାହାରିଛନ୍ତି । ଏଠାରେ ରନ୍ଧନ ଗ୍ୟାସ, ସଫେଇ ଏବଂ ପୋଷଣ ଆଦି କ୍ଷେତ୍ରରେ ମଜଭୂତ ସୁଧାର ସହ ଲୋକଙ୍କ ଜୀବନଶୈଳୀରେ ଉନ୍ନତି ଆସିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ବାଂଲାଦେଶ, କମ୍ବୋଡିଆ, ଡେମୋକ୍ରାଟିକ୍ ରିପ୍ଲିକ ଅଫ୍ କଙ୍ଗୋ, ଇଥିଓପିଆ, ହାଇତି, ଭାରତ, ନାଇଜେରିଆ, ପାକିସ୍ତାନ, ପେରୁ ଏବଂ ଭିଏତ୍ନାମରେ ଗରିବଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ହ୍ରାସ ଘଟିଥିବା ବେଳେ ଭାରତ ସବୁଠାରୁ ଦ୍ରୁତ ବେଗରେ ଦାରିଦ୍ର୍ୟ ହଟାଇଥିବା ମିଳିତ ଜାତିସଂଘ ପ୍ରକାଶ କରିଛି । ସମଗ୍ର ବିଶ୍ୱରେ ଥିବା ଅତି ଦାରିଦ୍ର୍ୟ ଅଞ୍ଚଳ ମ୍ମରେ ଝାଡ଼ଖଣ୍ଡ ସର୍ବୋତ୍ତମ ପ୍ରଦର୍ଶନ କରିଛି । ଏଠାରେ ଦ୍ରୁତ ବେଗରେ ଦାରିଦ୍ର୍ୟ ହାର କମିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସର୍ବାଧିକ ଦାରିଦ୍ର୍ୟ କମାଇଥିବା ଭାରତୀୟ ରାଜ୍ୟ ମଧ୍ୟରେ ଝାଡଖଣ୍ଡ ସମେତ ବିହାର, ଉତ୍ତର ପ୍ରଦେଶ ଏବଂ ମଧ୍ୟ ପ୍ରଦେଶ ଆଦି ରହିଛନ୍ତି ।
ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନ୍ଡିପି) ଏବଂ ଅକ୍ସଫୋର୍ଡ ପଭର୍ଟି ଆଣ୍ଡ୍ ହ୍ୟୁମାନ ଡେଭେଲପ୍ମେଣ୍ଟ ଇନିସିଏଟିଭ୍ (ଓପିଏଚ୍ଆଇ) ଦ୍ୱାରା ପ୍ରସ୍ତୁତ ବିଶ୍ୱ ବହୁବିଧ ଦାରିଦ୍ର୍ୟ ସୂଚକାଙ୍କ (ଏମ୍ପିଆଇ) ୨୦୧୯କୁ ଗୁରୁବାର ଜାରି କରାଯାଇଛି । ରିପୋର୍ଟରେ ୧୦୧ ଦେଶରେ ୧୩୦ କୋଟି ଲୋକଙ୍କୁ ଅଧ୍ୟୟନ କରାଯାଇଛି । ଏହି ୧୩୦ କୋଟି ଲୋକ ବହୁବିଧ କାରଣରୁ ଦରିଦ୍ର୍ୟ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ୧୦୧ ରାଷ୍ଟ୍ର ମଧ୍ୟରୁ ୩୧ ନ୍ୟୁନତମ ଆୟ, ୬୮ ମଧ୍ୟମ ଆୟ ଏବଂ ୨ଟି ଉଚ୍ଚ ଆୟକାରୀ ରାଷ୍ଟ୍ର ଅଛନ୍ତି । ବିଭିନ୍ନ ଦିଗକୁ ଅନ୍ୟୁନ କରାଯାଇ ରିପୋର୍ଟ ପ୍ରସ୍ତୁତ ହୋଇଛି । କେବଳ ଆୟ ନୁହେଁ ବରଂ ସ୍ୱାସ୍ଥ୍ୟ, କାର୍ଯ୍ୟ ଗୁଣବତ୍ତା ଆଦି ମାପକ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି ।
ସହରାଞ୍ଚଳଠାରୁ ଗ୍ରାମାଞ୍ଚଳରେ ଅଧିକ ଦାରିଦ୍ର୍ୟ ହଟାଇଥିବା ୩ଟି ରାଷ୍ଟ୍ର ମଧ୍ୟରେ ଭାରତ ରହିଛି । ଗ୍ରାମୀଣ ଭାରତରେ ରହୁଥିବା ଉପଜାତି ଯେପରି ମୁସ୍ଲିମ୍, ଅନୁସୂଚିତ ଜାତି ଏବଂ ଜନଜାତି ଆଦି ଏବେ ବି ଦାରିଦ୍ର୍ୟ ମଧ୍ୟରେ ଡୁବିଥିବା ୟୁଏନ୍ଡିପି ପକ୍ଷରୁ ପ୍ରକାଶ ।
ସବୁଠାରୁ ଅଧିକ ପ୍ରଗତି ଦକ୍ଷିଣ ଏସିଆରେ ଦେଖାଯାଇଛି । ଭାରତରେ ୨୦୦୬ରୁ ୨୦୧୬ ମଧ୍ୟରେ ୨୭.୧୦ କୋଟି ଲୋକ ଦାରିଦ୍ର୍ୟରୁ ବାହାରିଥିବାବେଳେ ବାଂଲାଦେଶରେ ୨୦୦୪ରୁ ୨୦୧୪ ମଧ୍ୟରେ ୧.୯୦ କୋଟି ଲୋକ ଦାରିଦ୍ର୍ୟରୁ ହଟିଛନ୍ତି । ଉପରୋକ୍ତ ୧୦ଟି ଦେଶ ମଧ୍ୟରୁ ଭାରତ ଏବଂ କମ୍ବୋଡିଆରେ ଦ୍ରୁତ ଗତିରେ ଦାରିଦ୍ର୍ୟ କମିଛି । ଏହି ରାଷ୍ଟ୍ରଦ୍ୱୟ ଦାରିଦ୍ର୍ୟ କମାଇବାପାଇଁ ସବୁ ପ୍ରକାର ପ୍ରଚେଷ୍ଠା କରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।
ପୋଷଣ, ସ୍ୱଚ୍ଛତା, ପିଲାଙ୍କ ସ୍କୁଲ ଶିକ୍ଷା, ବିଦ୍ୟୁତ୍, ସ୍କୁଲରେ ଉପସ୍ଥିତି ହାର, ଆବାସ, ରନ୍ଧନ ଗ୍ୟାସ ଏବଂ ସମ୍ପତ୍ତି ମାମଲାରେ ଭାରତ ସହ ଇଥିଓପିଆ ଏବଂ ପେରୁ ଉଲ୍ଲେଖନୀୟ ସୁଧାର ଆଣିଥିବା ପ୍ରକାଶ ।
Comments are closed, but trackbacks and pingbacks are open.