ସ୍କର୍ପିଓ ଧକ୍କାରେ ସ୍କୁଟି ଚାଳକ ମୃତ:ଉତ୍ତ୍ୟକ୍ତ ଲୋକଙ୍କ ମାଡ଼ରେ ଅଧିକାରୀ ମୃତ

Get real time updates directly on you device, subscribe now.

ବାଙ୍ଗିରିପୋଷି,(ବି.ବି.ନୁ୍ୟଜ): ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଉକ୍ତ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର କତରା ଛକ ନିକଟରେ ସ୍କର୍ପିଓ ଏକ ସ୍କୁଟିକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ସ୍କୁଟି ଚାଳକଙ୍କ ମୃତୁ୍ୟ ହୋଇଛି । ଏହି ଘଟଣାରେ ସ୍କର୍ପିଓରେ ବସିଥିବା ଜଣେ ସରକାରୀ ଅଧିକାରୀ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରେ ମୃତୁ୍ୟ ମୁଖରେ ପଡ଼ିଛନ୍ତି । ମୃତକ ସ୍କୁଟି ଚାଳକ ହେଲେ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଗୋଷାଣିପାଳ ଗ୍ରାମର ହରିହର ସେଠୀ(୫୫) । ସରକାରୀ ଅଧିକାରୀ ଜଣକ ହେଉଛନ୍ତି ଭାରତ ସରକାରଙ୍କ ନଳଜଳ ଯୋଜନାର ସର୍ଭେ କାର୍ଯ୍ୟରେ ନିୟୋଜିତ ଥିବା କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ସତ୍ୟନାରାୟଣ ନନ୍ଦ(୪୫) ।
ସୂଚନାନୁଯାୟୀ, ହରିହର ଏକ ସ୍କୁଟି(ଓଆର୧୧ଏଚ୭୩୯୯)ରେ ବଜାରରୁ ନିଜ ଗାଁ ଗୋଷାଣିପାଳକୁ ଯାଉଥିବା ସମୟରେ ପଛପଟୁ ଦ୍ରୁତଗତିରେ ଆସୁଥିବା (ଡବ୍ଲୁବି୬୮ଓବାୟ୭୦୬୩) ସ୍କର୍ପିଓ ତାଙ୍କୁ ଖୁବ୍ଜୋରରେ ଧକ୍କା ଦେଇଥିଲା । ଫଳରେ ହରିହର ଘଟଣା ସ୍ଥଳରେ ହିଁ ମୃତୁ୍ୟବରଣ କରିଥିଲେ । ତେବେ ଦୁର୍ଘଟଣା ପରେ ପଳାଇବାକୁ ଉଦ୍ୟମ କରୁଥିବା ସ୍କର୍ପିଓକୁ ଉପସ୍ଥିତ ଥିବା ଲୋକମାନେ ଧରିବାରେ ସଫଳ ହେବା ସହିତ ଚାଳକ ସହ ଗାଡି ଭିତରେ ଥିବା ଭାରତ ସରକାରଙ୍କ ନଳଜଳ ଯୋଜନାର ସର୍ଭେ କାର୍ଯ୍ୟରେ ନିୟୋଜିତ କନ୍ଦୁଝର ଜିଲ୍ଲା ଆନନ୍ଦପୁରର ସତ୍ୟନାରାୟଣ ନନ୍ଦ ଏବଂ ଉତ୍ତରପ୍ରଦେଶରୁ ଆସିଥିବା ଅନ୍ୟଜଣେ ଅଧିକାରୀ ଫୁଲଚନ୍ଦ୍ର ଶର୍ମାଙ୍କୁ ଆକ୍ରମଣ କରି ପ୍ରବଳମାଡ଼ ମାରିଥିଲେ । ଖବର ପାଇ ବାଙ୍ଗିରିପୋଷି ପୁଲିସ ପହଞ୍ଚି ଗାଡିକୁ ଜବତ କରିବା ସହ ଗୁରୁତର ୨ ଅଧିକାରୀଙ୍କୁ ବାରିପଦା ପିଆରଏମ ମେଡିକାଲକୁ ପଠାଇଥିବାବେଳେ ଚାଳକଙ୍କ ପତା ମିଳିନଥିଲା ।
ଘଟଣାସ୍ଥଳରେ ଜାତୀୟ ରାଜପଥ ଉପରେ ହରିହରଙ୍କ ଶବ ରଖି କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକ ୩ ଘଣ୍ଟାରୁ ଊଦ୍ଧ୍ୱର୍ ସମୟ ଧରି ରାସ୍ତା ଅବରୋଧ କରିଥିଲେ । ବାଙ୍ଗିରିପୋଷି ଥାନା ଅଧିକାରୀ ସୟ କୁମାର ପରିଡା ଆନେ୍ଦାଳନକାରୀଙ୍କୁ ବୁଝାଇ ରାସ୍ତାରୋକରୁ ଉଠାଇବା ସହିତ ମୃତ ହରିହରଙ୍କ ବ୍ୟବଚ୍ଛେଦ ପାଇଁ ବାରିପଦା ମେଡିକାଲ କଲେଜକୁ ପଠାଇଥିଲେ । ତେବେ ଅତ୍ୟଧିକ ମାଡ ହୋଇଥିବା ଯୋଗୁଁ ଗୁରୁତର ଅବସ୍ଥାରେ ଚିକିତ୍ସିତ ଥିବା ଦୁଇ ଅଧିକାରୀଙ୍କ ମଧ୍ୟରୁ ସତ୍ୟନାରାୟଣ ନନ୍ଦଙ୍କ ଚିକିତ୍ସା ଅବସ୍ଥାରେ ମୃତୁ୍ୟ ହୋଇଥିବା ବାଙ୍ଗିରିପୋଷି ପୁଲିସ ପକ୍ଷରୁ ସୂଚନା ମିଳିଛି । ସେହିପରି ଅନ୍ୟ ଅଧିକାରୀ ଫୁଲ ଚନ୍ଦ୍ର ଶର୍ମା ମଧ୍ୟ ଅବସ୍ଥା ଭଲ ନଥିବା ଜଣାପଡିଛି । ଶେଷ ଖବର ସୁଦ୍ଧା ମାମଲା ରୁଜୁ ହୋଇନଥିବାବେଳେ ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକଙ୍କ ନିଦେ୍ର୍ଧଶ କ୍ରମେ ବାଙ୍ଗିରିପୋଷି ପୁଲିସ ପକ୍ଷରୁ ୨ଟି ଘଟଣା ପାଇଁ ପୃଥକ ପୃଥକ ତଦନ୍ତ ଆରମ୍ଭ କରିଛି । ଏହାସହିତ ସ୍କର୍ପିଓରେ ଥିବା ଅଧିକାରୀଙ୍କ ଉପରକୁ କେଉଁମାନେ ଆକ୍ରମଣ କରିଛନ୍ତି, ସେମାନଙ୍କୁ ପୁଲିସ ଖୋଜୁଥିବାବେଳେ ଚାଳକଙ୍କର କୌଣସି ପତା ମିଳିପାରିନାହିଁ । ଉତ୍ତ୍ୟକ୍ତ ଲୋକଙ୍କ ମାଡରେ ଯାତ୍ରୀଙ୍କ ମୃତୁ୍ୟ ହେବା ଭଳି ଘଟଣା ବାଙ୍ଗିରିପୋଷି ଅଞ୍ଚଳରେ ପୂର୍ବରୁ କେବେ ଘଟିନଥିବାବେଳେ ଆଜିର ଘଟଣା ସମସ୍ତଙ୍କୁ ଚକିତ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons