ରାମ ମନ୍ଦିର ପାଇଁ ଯାଇ ଗୁଳି ଖାଇଥିଲେ

Get real time updates directly on you device, subscribe now.

କେନ୍ଦ୍ରାପଡା,(ବି.ବି.ନୁ୍ୟଜ୍): ୧୯୯୦ ମସିହାରେ ରାମ ମନ୍ଦିର ପୁନରୁଦ୍ଧାର ଅଭିଯାନରେ ଅଯୋଧ୍ୟାକୁ ଯାଇ ସେ ଗୁଳି ଖାଇଥିଲେ । ଉତ୍ତରପ୍ରଦେଶ ପୁଲିସର ବିରୋଧକୁ ଖାତିର ନ କରି ସେତେବେଳେ ରାମ ମନ୍ଦିର ପାଇଁ ବାହାରି ଯାଇଥିଲେ କେନ୍ଦ୍ରାପଡ଼ାର କରସେବକ ସଂଗ୍ରାମ ମହାପାତ୍ର । ଗୁଳିମାଡ଼ରେ ଆହତ ହୋଇ ୨ ମାସ କାଳ ଚିକିତ୍ସିତ ହେବା ପରେ ସେ ସୁସ୍ଥ ହୋଇଥିଲେ । ଆଜି ତାଙ୍କ ସ୍ୱପ୍ନ ପୂରଣ ହୋଇଥିବାରୁ ସେ ବେଶ୍ ଆନନ୍ଦିତ ବୋଲି କୁହନ୍ତି ସଂଗ୍ରାମ । ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିଥିବାରୁ ସଂଗ୍ରାମ ବେଶ୍ ଖୁସି ଥିବା କହିଛନ୍ତି ।
ସଂଗ୍ରାମଙ୍କ ଘର କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସବଳକଣାରେ । ତେବେ ତାଙ୍କ ପରିବାର କେନ୍ଦ୍ରାପଡ଼ା ସହରର ମାଧପୁରରେ ସ୍ଥାୟୀ ଭାବେ ବସବାସ କରୁଥିଲେ । ସଂଗ୍ରାମଙ୍କ ବାପା ଦେବେନ୍ଦ୍ର ମହାପାତ୍ର, ଦାଦା ପ୍ରଦୀପ୍ତ ମହାପାତ୍ର କେନ୍ଦ୍ରାପଡ଼ାରେ ଓକିଲାତି କରୁଥିଲେ । ମା’ ବସନ୍ତବାଳା ମିଶ୍ର ଏଠାରେ ଶିକ୍ଷକତା ବୃତ୍ତିରେ ଥିଲେ । ସ୍କୁଲ୍ ଶିକ୍ଷା ଶେଷ ପରେ ସଂଗ୍ରାମ କଟକ ସହରକୁ ଯାଇ ଆର୍ଏସ୍ଏସ୍ ସଂସ୍ପର୍ଶରେ ଆସିବା ସହ ବିଭିନ୍ନ କାମରେ ସକ୍ରିୟ ଭାବେ ଜଡ଼ିତ ହୋଇଥିଲେ । ତାଙ୍କୁ କୁହାଯାଇଥିଲା, ୧୯୯୦ ମସିହା ରାମ ମନ୍ଦିର ପୁନରୁଦ୍ଧାର ଆନେ୍ଦାଳନ ବେଳେ ଛାତ୍ର ସଂଗଠନର ଦାୟିତ୍ୱ ନେଇ ଅଯୋଧ୍ୟା ଯିବାକୁ । ତରୁଣ ବୟସରେ ତାଙ୍କଠାରେ ଉନ୍ମାଦନା ଥିଲା । ବୟସ ୧୯ରୁ ୨୦ ବର୍ଷ ହେବ । ଏଣୁ ସେ ବାହାରିଥିଲେ । ସଂଗ୍ରାମଙ୍କ କହିବା ଅନୁସାରେ, ଟ୍ରେନ୍ରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଲୋକେ ଯାଇଥିଲେ । ପହଞ୍ଚିବା ପରେ ଖବର ଆସିଥିଲା ଉତ୍ତରପ୍ରଦେଶରେ କର୍ଫୁ୍ୟ ଜାରି ହୋଇଛି । ଫଳରେ ମୋଗଲ ସରାଇ ଷ୍ଟେସନରେ ଅନେକ କର ସେବକଙ୍କୁ ଗିରଫ କରି ନିଆଯାଇଥିଲା । ସ୍ଥାନୀୟ ଲୋକଙ୍କ ସହଯୋଗ କ୍ରମେ ୪ରୁ ୫ ଦିନ କାଳ ସେ ଚାଲିଚାଲି ଯିବା ପରେ ଶେଷରେ ଅଯୋଧ୍ୟାରେ ପହଞ୍ଚିଥିଲେ । ଲାଠି ଓ ଗୁଳିକୁ ନଡରି ବିବାଦୀୟ ସ୍ଥଳ ଦିଗରେ ଅଗ୍ରସର ହେଉଥିବା ବେଳେ ପୁଲିସ ଗୁଳିର ଶିକାର ହୋଇଥିଲେ । ତାଙ୍କ ତଳିପେଟରେ ଦୁଇଟି ଗୁଳି ବାଜିଥିଲା । ସେଠାରେ ମାସେ କାଳ ରହି ଚିକିତ୍ସିତ ହେବା ପରେ ଓଡ଼ିଶାକୁ ଫେରି ପୁଣି ମାସେ ଚିକିତ୍ସାରେ ରହି ସଂପୂର୍ଣ୍ଣ ସୁସ୍ଥ ହୋଇଥିଲେ ସେ । ଆଜି ରାମମନ୍ଦିର ଶିଳାନ୍ୟାସ ପାଇଁ ସେ ବହୁତ ଖୁସି ବୋଲି କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons