ସଂଗଠନକୁ ମଜବୁତ୍ କର ଓ ଲୋକଙ୍କ ସହ ଯୋଡି ହୋଇ ରୁହ: ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

Get real time updates directly on you device, subscribe now.

ପୁରୀ : ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରେ ଓଡିଶାରେ ପ୍ରଥମ ଥର ପାଇଁ ଏକାକୀ ଭାବରେ ଭାରତୀୟ ଜନତା ପାର୍ଟୀ ସରକାର ଗଠନ କରିଛି । ସରକାର ଗଠନ କରିବା ପରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ସଭାପତିତ୍ୱରେ ପ୍ରଥମ ଥର ପାଇଁ ପୁରୀଠାରେ ଅନୁଷ୍ଠିତ ହୋଇଥିବା ଆଜିର ଏହି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ । ଓଡ଼ିଶାରେ ବିଜେପି ସରକାର ଗଠନ କରିବା ପରେ କାର୍ଯ୍ୟକର୍ତାଙ୍କୁ ଯେଉଁ ପଦ ପଦବୀ ମିଳିଛି ତାହା “ପଦବୀ ନୁହେଁ ଏହା ଏକ ଦାୟିତ୍ୱ” । ଏହି ଦାୟିତ୍ୱ ପୂରଣ କରିବାକୁ ଯତ୍ନବାନ ହେବାକୁ ହେବ । ଏହି ଅବସରରେ କୋଷାଭାଓ ଠାକରେଙ୍କୁ ସ୍ମରଣ କରିଥିଲେ । ଶ୍ରୀ ଠାକରେ ଭାରତୀୟ ଜନସଂଘରେ ସକ୍ରିୟ ଭୂମିକା ଲିଭାଇଥିଲେ । ସେ ଓଡ଼ିଶାରେ ୩୭ବର୍ଷ ଧରି ଜନସଂଘ ପାଇଁ ସଂଘର୍ଷ କରିଥିଲେ । ସେ ସଂଗଠନକୁ ସୁଦୃଢ଼ କରିବା ପାଇଁ ବହୁ ଉଦ୍ୟମ କରିଥିଲେ । ୧୯୮୯ପର୍ଯ୍ୟନ୍ତ ୧ ପ୍ରତିଶତ ଭୋଟ ପାଇଁ ସଂଘର୍ଷ କରିଥିଲେ । ଧୀରେ ଧୀରେ ଏହା ବଢ଼ି ଗତନିର୍ବାଚନରେ ବିଜେପି ସରକାର ଗଢ଼ି ପାରିଛି । ବିଜେପି ପାଇଁ ଯେଉଁମାନେ ଲଢ଼େଇ କରିଥିଲେ ଓ ଏବେ ସେମାନେ ମୃତ୍ୟୁବରଣ କରିଛନ୍ତି, ସେମାନଙ୍କୁ ଶ୍ରୀ ସାମଲ ସ୍ମରଣ କରିଥିଲେ ।
ଏହି ଗୁରୁତ୍ୱପୂର୍ଣ୍ଣ ପରିବର୍ଦ୍ଧିିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡ୍ଡା ଉଦଘାଟନ କରିଛନ୍ତି । ଏହାପରେ ଶ୍ରୀ ନଡ୍ଡା କାର୍ଯ୍ୟକର୍ତାଙ୍କୁ ଗୁରୁମନ୍ତ୍ରୀ ଦେଇ କହିଛନ୍ତି ଯେ, ସଂଗଠନକୁ ମଜବୁତ୍ କରିବା ସହ ଲୋକଙ୍କ ସହ ଯୋଡି ହୋଇ ରୁହ । ଲୋକଙ୍କ ବିଶ୍ୱାସ ବଜାୟ ରଖ । ସୁଶାସନ ଉପରେ ଗୁରୁତ୍ୱ ଦିଅ । ସାଧାରଣ ଲୋକଙ୍କ ସମସ୍ୟା ସରକାରଙ୍କ ଦୃଷ୍ଟିଗୋଚର କରାଅ । ଓଡ଼ିଶାର ବିକାଶ ପାଇଁ ଭାରତୀୟ ଜନତା ପାର୍ଟି ସବୁବେଳେ ଉଦ୍ୟମ ଜାରି ରଖିବ । ରାଜ୍ୟକୁ ବିକାଶ ପଥରେ ନେବାର କୌଣସି ସୁଯୋଗ ଛାଡିବ ନାହିଁ । ଲୋକସଭା ସିଟ୍ ଡବଲ କରିବାକୁ କହିଥିଲେ । ଆପଣମାନେ ୨୦ସିଟ୍ ଦେଇଛନ୍ତି । ସେହିପରି ବିଧାନସଭାରେ ୪୦.୭ ପ୍ରତିଶତ ଭୋଟ ସହ ସରକାର ଗଠନ କରିବାରେ ସୁଯୋଗ ଦେଇଛନ୍ତି । ବିଜେପିର ପ୍ରଜାତନ୍ତ୍ର ରହିଛି । ବିଜେପି “ସବକା ସାଥ ସବକା ବିକାଶରେ ବିଶ୍ୱାସ”କରେ । ପଦ୍ମ ଚିହ୍ନରେ ୧୮ଜଣ ଆଦିବାସୀ ଭାଇ ବିଧାୟକଭାବେ ନିର୍ବାଚିତ ହୋଇଛନ୍ତି । ଆଦିବାସୀଙ୍କ ବିକାଶ ପାଇଁ ଆମ ସରକାର କାମ କରିବ । ସାଧାରଣ ନିର୍ବାଚନରେ ବିଜେପିକୁ ଓଡ଼ିଶାବାସୀ ବିପୁଳ ସମର୍ଥନ ଦେଇଥିବାରୁ ଓଡିଶାବାସୀଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଉଛି ।
ଆଜିର ଦିନରେ ବିଜେପି ୧୩ଟି ରାଜ୍ୟରେ ଶାସନ କରୁଛି । ଏନ୍‌ଡିଏ ନେତୃତ୍ୱରେ ୧୮ଟି ରାଜ୍ୟରେ ସରକାର ଚାଲିଛି । ଦେଶର ୫୭ପ୍ରତିଶତ ଭୂଭାଗରେ ବିଜେପି ସରକାର ଚାଲିଛି । କଂଗ୍ରେସ ଅନ୍ୟର ଭରସାରେ ବଂଚିଛି । ମୋଦି ଶାସନରେ ଭାରତ ଆତ୍ମନିର୍ଭରଶୀଳ ଦିଗରେ ଆଗକୁ ବଢ଼ୁଛି । କିଛି ବର୍ଷ ପୂର୍ବରୁ ଭାରତରେ ବ୍ୟବହାର ହେଉଥିବା ମୋବାଇଲ୍ ମେଡ ଇନ୍ ଜାପାନ, ମେଡ ଇନ୍ ଚାଇନା, ମେଡ ଇନ୍ ତାଇୱାନା ଲେଖାଯାଉଥିଲା, ଏବେ କିନ୍ତୁ ଭାରତରେ ମୋବାଇଲ ଉତ୍ପାଦନ ହେଉଛି । ଏବେ ଆପଣମାନେ ବ୍ୟବହାର କରୁଥିବା ମୋବାଇଲ୍‌ରେ “ମେଡ ଇନ୍ ଇଣ୍ଡିଆ” ଲେଖା ରହୁଛି । କେବଳ ମୋବାଇଲ ନୁହେଁ ବରଂ ଅଟୋ ମୋବାଇଲ ସେକ୍ଟରରେ ମଧ୍ୟ ଭାରତର ବିକାଶ ହୋଇଛି । ବିଶ୍ୱର ତୃତୀୟ ସର୍ବବୃହତର ଅଟୋ ମୋବାଇଲ ଉତ୍ପାଦନକାରୀ ରାଷ୍ଟ୍ର ହୋଇଛି ଭାରତ ବୋଲି ଶ୍ରୀ ନଡ୍ଡା କହିଛନ୍ତି ।
ନିର୍ବାଚନ ଫଳାଫଳକୁ ଦେଖି କଂଗ୍ରେସ ଭାରି ଉତ୍ସାହିତ ହେଉଛି । ଯେପରି କୌଣସି ଫେଲ ହେଉଥିବା ଛାତ୍ର ହଠାତ୍ ପାସ୍ ହୋଇଗଲେ ଯେମିତି ଖୁସି ହୁଅନ୍ତି କଂଗ୍ରେସ ମାତ୍ର ୯୯ଆସନ ପାଇ ସେମିତି ଖୁସି ହେଉଛି । ଇଣ୍ଡିଆ ମେଂଟର ସମସ୍ତ ସାଂସଦଙ୍କୁ ମିଶାଇଲେ ମଧ୍ୟ ବିଜେପି ସାଂସଦଙ୍କ ଠାରୁ କମ୍ । ୨୦୧୪, ୨୦୧୯, ୨୦୨୪ରେ କଂଗ୍ରେସର ନିର୍ବାଚିତ ସାଂସଦଙ୍କ ଠାରୁ ବିଜେପି ସାଂସଦଙ୍କ ସଂଖ୍ୟା ଅଧିକ । ୧୩ ରାଜ୍ୟରେ କଂଗ୍ରେସ ଦଳ ଶୂନ, ତଥାପି ଏମିତି ଉତ୍ସାହ ଦେଖାଉଛନ୍ତି, ଯେମିତି ବଡ ବିଜୟ ହାସଲ କରିଛନ୍ତି । କଂଗ୍ରେସ ଦଳ ପରଜୀବୀ ଦଳ ପାଲଟିଯାଇଛି । ଅନ୍ୟ ଦଳର ସହଯୋଗରେ କଂଗ୍ରେସ ବିଜୟୀ ହେଉଛି । ଯେଉଁଠି ଆଂଚଳିକ ଦଳ କଂଗ୍ରେସର ହାତଛାଡି ଦେଉଛନ୍ତି ସେଠାରେ କଂଗ୍ରେସ ଶୋଚନୀୟ ପରାଜୟ ବରଣ କରୁଛି । କଂଗ୍ରେସ ଯେଉଁ ପାର୍ଟି ସହ ଯୋଡିହୁଏ ସେହି ଦଳକୁ ଦୁର୍ବଳ କରିଦିଏ । କଂଗ୍ରେସ ଏବେ ସମ୍ବିଧାନ ଓ ଗଣତନ୍ତ୍ରର ରକ୍ଷକଭାବେ ନିଜକୁ ଚିତ୍ରଣ କରୁଛି । କିନ୍ତୁ ବାସ୍ତବରେ ଏମାନଙ୍କ ସମ୍ବିଧାନ ସହ କୌଣସି ନେଣଦେଣ ନାହିଁ । କଂଗ୍ରେସ ସମ୍ବିଧାନର ରକ୍ଷକ ନୁହେଁ ସମ୍ବିଧାନର ଭକ୍ଷକ । ଭାରତର ସମ୍ବିଧାନକୁ ଅନେକଥର ଆଘାତ ପହଂଚାଇଛି କଂଗ୍ରେସ । ଜରୁରୀକାଳୀନ ସ୍ଥିତି ସମୟରେ ଲୋକଙ୍କୁ ବିନା କାରଣରେ ଜେଲରେ ଭର୍ତି କରିଥିଲେ । କଂଗ୍ରେସ ଦଳ ହିଁ ୯୦ଥର ନିର୍ବାଚିତ ସରକାରଙ୍କୁ ଭାଙ୍ଗିଛି । ନବୀନ ବାବୁଙ୍କୁ ପଚାରନ୍ତୁ କିଭଳି ତାଙ୍କ ବାପା ବିଜୁ ବାବୁଙ୍କୁ ଜେଲ୍‌ରେ ଭର୍ତି କରିଥିଲା କଂଗ୍ରେସ । ମୋଦିଙ୍କୁ ବିରୋଧ କରୁ କରୁ ଏବେ କଂଗ୍ରେସ ଦେଶକୁ ବିରୋଧ କରିବା ଆରମ୍ଭ କଲାଣି ।
ବିଜେପି ହେଉଛି ବିଚାରଧାରାର ଦଳ । କାଶ୍ମୀରରୁ ଧାରା ୩୭୦ଉଚ୍ଛେଦ କରିଛି ବିଜେପି । ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ କରିଛି ବିଜେପି ଦଳ । ୨୦୧୪ପୂର୍ବରୁ ଭାରତକୁ ଦୁର୍ନୀତିଖୋର ଦେଶ କୁହାଯାଉଥିଲା, ରିମୋଟ କଂଟ୍ରୋଲରେ ସରକାର ଚାଲୁଥିଲା । କିନ୍ତୁ ୨୦୧୪ପରେ ଦେଶରେ ପରିବର୍ତନ ଆଣିଛନ୍ତି ମୋଦି । କମ୍ ସମୟରେ ଅଧିକ କାମ କରିବାକୁ ଆହ୍ୱାନ ଦେଇଥିଲେ ମୋଦି । ଏବେ ପୂରା ଦେଶ ଭାରତକୁ ଦେଖୁଛି । କିଭଳି ଭାରତ କାର୍ଯ୍ୟ କରୁଛି ତାହା ବିଶ୍ୱ ଜାଣିବାକୁ ଚାହୁଁଛି । ବିଶ୍ୱରେ ଭାରତର ଛବିକୁ ଶୀର୍ଷସ୍ତରରେ ପହଂଚାଇଛନ୍ତି ମୋଦି । ଏବେ ଭାରତ ବଦଳି ସାରିଛି । ୟୁକ୍ରେନ ଓ ଋଷ ଯୁଦ୍ଧ, କରୋନା ମହାମାରୀ ପରେ ମଧ୍ୟ ଭାରତର ଆର୍ôଥକ ସ୍ଥିତି ସୁଦୃଢ଼ ରହିଛି । ଏବେ ବିଶ୍ୱରେ ଭାରତ ୫ମ ବୃହତ ଅର୍ଥବ୍ୟବସ୍ଥା ପାଲଟିଛି । ଆଗକୁ ଭାରତ ୨ୟ ବୃହତ ଅର୍ଥବ୍ୟବସ୍ଥାରେ ପରିଣତ ହେବାକୁ ଯାଉଛି ବୋଲି ଶ୍ରୀ ନଡ୍ଡା କହିଛନ୍ତି ।
ଏବେ ଓଡ଼ିଶାରେ ବିଜେପି ସରକାର ଗଢ଼ିଛି । କିନ୍ତୁ ଏହାପୂର୍ବରୁ ମଧ୍ୟ ଓଡ଼ିଶାକୁ କେବେ ଅଣଦେଖା କରିନି କେନ୍ଦ୍ର ସରକାର । ଆର୍ôଥକ ପ୍ୟାକେଜ୍ ସହ ଓଡ଼ିଶାର ବିକାଶ ପାଇଁ କାର୍ଯ୍ୟ କରୁଛି ବିଜେପି । ସରକାର ବଦଳିବା ସହ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲାଯାଇଛି । ଦୀର୍ଘବର୍ଷ ଧରି ବନ୍ଦ ରହିଥିବା ରତ୍ନଭଣ୍ଡାରକୁ ଖୋଲାଯାଇଛି । ପୂର୍ବରୁ ବିକାଶରେ ବାଧା ଦେଉଥିଲେ ସରକାର କିନ୍ତୁ ନୂଆ ସରକାର ବିକାଶକୁ ପ୍ରାଥମିକତା ଦେଇଛନ୍ତି । ସଂକଳ୍ପପତ୍ରରେ ଯାହା ଅଛି ଗୋଟି ଗୋଟି ସବୁ ପୂରଣ କରାଯିବ । ଓଡ଼ିଶାରେ ସେବା କରିବାକୁ ସୁଯୋଗ ଦେଇଥିବାରୁ ଓଡ଼ିଶାବାସୀଙ୍କୁ ଶ୍ରୀ ନଡ୍ଡା ଧନ୍ୟବାଦ ଜଣାଇଛନ୍ତି ।
ପୁରୀଠାରେ ଆୟୋଜିତ ଦୁଇଦିନିଆ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଓଡ଼ିଆ, ଭାଷା, ସଂସ୍କୃତି ଓ ଅସ୍ମିତାର ନିଦ୍ଦର୍ଶନ ଦେଖିବାକୁ ମିଳିଛି । କାର୍ଯ୍ୟକାରିଣୀ ସଭାସ୍ଥଳରେ ଓଡ଼ିଶାର ବିପ୍ଳବୀ, ସ୍ୱାଧୀନତା ସଂଗ୍ରାମୀ, ବରପୁତ୍ର ଓ କବିମାନଙ୍କ ଫଟୋ ଚିତ୍ର ଏବଂ ବାର୍ତାକୁ ସ୍ଥାନ ଦେଇ ସମ୍ମାନ ଜଣାଇଛି । ଏହି ସଭା ମଂଚରେ ସ୍ଥାନ ପାଇଁ କୋଣାର୍କ ଚକ୍ର ସହ ଶ୍ରୀମନ୍ଦିର ନୀଳଚକ୍ରର ପ୍ରତିକୃତି । ଏହାସହ ଉତ୍କଳର ବୈଭବଶାଳୀ ଇତିହାସ, ପୁରାତନ ମନ୍ଦିର ଏବଂ ପ୍ରସିଦ୍ଧ କଳାକୃତିରେ ସଜେଇ ହୋଇଛି କାର୍ଯ୍ୟକାରିଣୀ ସଭାସ୍ଥଳ । ସେହିପରି ମୋଦି ସରକାରଙ୍କ ବିକାଶମୂଳକ ତଥା ଜନକଲ୍ୟାଣକାରୀ ଯୋଜନାର ବିସ୍ତୃତ ବିବରଣୀ ମଧ୍ୟ ପ୍ରଦର୍ଶିତ କରାଯାଇଛି ।
ପୁରୀରେ ଆରମ୍ଭ ଦୁଇ ଦିନିଆ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକର ପ୍ରଥମ ଦିନରେ ଦଳୀୟ ପତାକା ଉତୋଳନ ସହ ବୈଠକକୁ ଉଦ୍‌ଘାଟନ କରିଛନ୍ତି ରାଷ୍ଟ୍ରୟ ଅଧ୍ୟକ୍ଷ ଜେପି ନଡ୍ଡା । କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ପଦାଧିକାରୀ ବୈଠକ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ପ୍ରଭାତୀ ପରିଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂହ ତୋମାର ଓ ସହପ୍ରଭାରୀ ଲତା ଉସେଣ୍ଡୀ, ରାଜ୍ୟ ସମ୍ପାଦକ(ସଂଗଠନ) ମାନସ ମହାନ୍ତି, ଓଡିଶାର ସମସ୍ତ ବିଜେପି ସାଂସଦ, ରାଜ୍ୟର ସମସ୍ତ ବିଧାୟକ, ରାଜ୍ୟ ପଦାଧିକାରୀ, ରାଜ୍ୟ ମୁଖପାତ୍ର, ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ ଓ ସମସ୍ତ ମୋର୍ଚ୍ଚାର ସଭାପତି ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ଶତପଥୀ ଆଜିର ଏହି କାର୍ଯ୍ୟକାରିଣୀ ତରଫରୁ ଓଡିଶାର ସମସ୍ତ ନାଗରିକ, ଗଣମାଧ୍ୟମ ପ୍ରତିନିଧି, ଓଡିଶାର ବୁଦ୍ଧିଜିବୀ ସମାଜକୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons