{ ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ } : ବିକାଶର ବହୁ ଦୂରରେ ରାଜ୍ୟର ଦ୍ବିତୀୟ ପୁରାତନ ପାରଳା ପୈାର ପରିଷଦ । ସହରର ବିକାଶ ପାଇଁ ମୂଖ୍ୟ ରାସ୍ତା ସମ୍ପ୍ରସାରଣ ହୋଇ ପାରି ନଥିବା ବେଳେ ସାହି ରାସ୍ତା ଗୁଡିକର ଅବସ୍ଥା କହିଲେ ନସରେ । ସହରର ଦୂଷିତ ଜଳ ନିସ୍କାସନ ବ୍ୟବସ୍ଥା ଅତ୍ୟନ୍ତ ଅବହେଳିତ। ବିଭିନ୍ନ ସ୍ଥାନର ନାଳ ଗୁଡିକ ପୁନଃରୁଦ୍ଧାର ହେଉ ନଥିବାରୁ ବର୍ଷା ଦିନରେ ପାଣି ଜମି ପ୍ରଦୁଷିତ ହୋଇ ରହୁଛି ଅନେକ ଅଞ୍ଚଳ। ଏଥିରେ ବହୁ ପ୍ରଭାବିତ ହେଉଛନ୍ତି ତଳିଆ ଅଞ୍ଚଳର ଅଧିବାସୀ। ପାରଳାଖେମୁଣ୍ଡିର ବିକାଶରେ ପ୍ରମୁଖ ପ୍ରତିବନ୍ଧକ ମଧ୍ୟର ରହିଛି ସହରର ଅଣ ଓସାରିଆ ମୂଖ୍ୟ ରାସ୍ତା ପୁଣି ସହରରୁ ଦୂଷିତ ଜଳ ନିସ୍କାସନରେ ଅବ୍ୟବସ୍ଥା, ଏଥିସହ ବିକଶିତ ହୋଇ ପାରୁନଥିବା ତଳିଆ ଅଞ୍ଚଳ ଗୁଡ଼ିକର ଜନ ବସତି, ଯାହା ସହରକୁ ଲାଗି ରହିଥିବା ପଞ୍ଚାୟତ ଗୁଡ଼ିକର ସୀମା ମଧ୍ୟରେ ରହିଛି । ଏହି ସବୁ ଅଞ୍ଚଳର ଅଧିବାସୀ ପୈାର ପରିଷଦକୁ ଭୋଟ ଦେଉଥିବା ବେଳେ ପଞ୍ଚାୟତ ସୀମା ମଧ୍ୟରେ ଜନ ବସତି ରହିଥିବା ଯୋଗୁଁ ସମସ୍ୟା ସୃଷ୍ଟି ହୋଇଛି। ପୈାର ପରିଷଦ ପକ୍ଷରୁ ସାହି ରାସ୍ତା ଓ ନାଳ ନିର୍ମାଣ ପୁଣି ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଏଠି କରାଯାଇ ପାରୁନଥିବା ବେଳେ ପଞ୍ଚାୟତ ପକ୍ଷରୁ ବିକାଶ ହୋଇ ପାରୁନାହିଁ। ସାହି ରାସ୍ତା ଓ ନାଳ ନିର୍ମାଣ ହେଉ ନଥିବାରୁ ବର୍ଷା ଦିନରେ ସହରର ସମସ୍ତ ପାଣି ଏହି ସବୁ ତଳି ଅଞ୍ଚଳରେ ଜମି ପରିବେଶକୁ ଦୂଷିତ କରୁଥିବାରୁ ବହୁ ସମସ୍ୟାରେ ରହୁଥିବା କହିଛନ୍ତି ଲୋକେ। ପୈାର ପରିଷଦର ଓ୍ବାର୍ଡ ନମ୍ବର ୧, ୩, ୬, ୭ ଓ ୧୫ ରେ ଏଭଳି ଅନେକ ଜନବସତି ଯଥାକ୍ରମେ କାଶୀନଗର ବ୍ଲକର ରାଣୀପେଣ୍ଠ, ଗୁମ୍ମା ବ୍ଲକର ଝାମୀ ଓ ଗୋଷାଣୀ ବ୍ଲକର କତଲକଇଠା ଏବଂ କେରାଣ୍ଡି ପଞ୍ଚାୟତ ସୀମା ମଧ୍ୟରେ ରହିଛି । ଏସବୁ ତଳିଆ ଅଞ୍ଚଳ ହୋଇଥିବାରୁ ବିଶେଷତଃ ବର୍ଷା ଦିନରେ ପାଣି ଘେରରେ ରହୁଛନ୍ତି ଲୋକେ। ଲୋକଙ୍କ ସମସ୍ୟାକୁ ସମାଧାନ କରିବାକୁ ନା ପଞ୍ଚାୟତ ନା ପୈାର ପରିଷଦ କେହିବି ଆଗକୁ ଆସୁନାହାନ୍ତି । ସହରର ସୀମା ଓ ପଞ୍ଚାୟତ ଅଞ୍ଚଳର ସୀମା ବିବାଦ ମଧ୍ୟରେ ଛନ୍ଦି ହୋଇପଡିଛନ୍ତି ଅନେକ ଜନବସତିର ଜନସାଧାରଣ । ଏମାନେ ନା ପାଉଛନ୍ତି ପୈାର ପରିଷଦର ସୁବିଧା ସୁଯୋଗ ନା ପଞ୍ଚାୟତର ବିକାଶ । ତେବେ ଏଥିରେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରିବା ଜରୁରୀ ହୋଇପଡିଛି ବୋଲି ପାରଳା ଜନସାଧାରଣଙ୍କ ସହ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
Comments are closed, but trackbacks and pingbacks are open.