ପୁରୀ,(ବି.ବି.ନ୍ୟୁଜ୍): ଶନିବାର ରଥର ମୂଳଦୁଆ ପଡ଼ିଛି । ଅଖ ଉପରେ ଦଣ୍ଡା ସ୍ଥାପନ କରାଯାଇଛି । ତିନି ରଥର ମୁଖ୍ୟ ବିଶ୍ୱକର୍ମାମାନେ ଶ୍ରୀଫଳ ଭାଙ୍ଗି ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଅନୁକୂଳ କରିଛନ୍ତି । ଅଖ ଉପରେ ଦଣ୍ଡା ହେଉଛି ରଥର ମୂଳଦୁଆ । ବିଶ୍ୱକର୍ମାଙ୍କ ନିର୍ଦ୍ଦେଶରେ ଭୋଇ ସେବକମାନେ ତିନି ରଥରେ ଦଣ୍ଡା ଉଠାଇଛନ୍ତି । ଏହାପରେ ସ୍ୱତନ୍ତ୍ର ପଦ୍ଧତିରେ କମାର ସେବକମାନେ ଦଣ୍ଡାରେ କଣ୍ଟା ବାଡ଼େଇଛନ୍ତି । ଘଡ଼ିମୁହଁ କଣ୍ଟା ପିଟି ରଥର ଚତୁଃ କୋଣକୁ ବାନ୍ଧିଛନ୍ତି ।
ତାଳଧ୍ୱଜର ମୁଖ୍ୟ ବିଶ୍ୱକର୍ମା ନରସିଂହ ମହାପାତ୍ର କୁହନ୍ତି ଯେଉଁ ଅନୁସାରେ ଚିହ୍ନ ଦିଆଯାଇ ଫ୍ରେମ ହୋଇଥିଲା, ସେହି ଅନୁଯାୟୀ ଅଖ ଉପରେ ସ୍ଥାପନ କରାଗଲା । ଚକ ଅଖ ଉପରେ ଦଣ୍ଡାକୁ ଗୋଳେଇ ଦିଆଯାଇଛି । ଗୋଳେଇବା ଅର୍ଥ ମାପଚୂପ କରି ଅଖ ସହିତ ଦଣ୍ଡାକୁ ସମତୁଲ କରିବା । କତା ଦଉଡ଼ି ବାନ୍ଧି ଦଣ୍ଡାକୁ ଜବତ୍ କରାଯାଇଥିଲା । ଅଖର ଗୋଲେଇ ଅନୁସାରେ ଦଣ୍ଡାକୁ କାଟି ଖାପ କରାଯାଇଥିଲା । ନନ୍ଦିଘୋଷ ରଥର ୯ଟି ଦଣ୍ଡା, ତାଳଧ୍ୱଜ ରଥର ୯ଟି ଦଣ୍ଡା ଓ ଦେବଦଳନ ରଥର ୭ଟି ଦଣ୍ଡାକୁ ଅଖ ଉପରେ ଲଗାଯାଇଥିଲା । ଦଣ୍ଡାରେ ଆଗ ଓ ପଛ ମୁହାଁଟି ସ୍ଥାପନ କରାଯାଇଥିଲା । ସେଥିରେ ୨ଗୋଟି ଗୁଜ ଓ ୩ଟି ଜଳଯନ୍ତ୍ର ସ୍ଥାପନ କରାଯାଇ ନିରାଡି ଉଠିଥିଲା । ଏହିଭଳି ପ୍ରତି ରଥରେ ଆଗପଛ ନିରାଡ଼ି ବସାଯାଇଥିଲା । ତାରତମ୍ୟ ରକ୍ଷା କରାଯାଇ ତିନି ରଥର କାମ ଚାଲିଛି । ଦଣ୍ଡା ଉଠିଲାପରେ ଭୋଇସେବକମାନେ ହରିବୋଲି ଧ୍ୱନୀ ଦେଇଥିଲେ ବୋଲି ଭୋଇ ସର୍ଦ୍ଦାର ରବି ଭୋଇ କହିଛନ୍ତି । ରଥ ଖଳାରେ ଚାରି ନାହାକା ଓ ଦୋଳବେଦିରେ ଗୟଳ କାମ ଚାଲିଛି । ସ୍ନାନ ପୂର୍ଣ୍ଣିମାରେ ରଥରେ ଉଠିବ ଚାରି ନାହାକା ।
ଘୋଡ଼ା, ଗୁଣ୍ଠି ଲାଗି କଣ୍ଟା ପଡ଼ିଲା
ଦଣ୍ଡା ଉଠିଲା ପରେ ରଥରେ ଘଡ଼ିମୁହଁ ଓ ଦଣ୍ଡାବିଡ଼ିଆ କଣ୍ଟା ପଡ଼ିଛି । ଓଝା ତଥା କମାର ସେବକମାନେ ଏହାକୁ ତିଆରି ରଥରେ ପିଟିଛନ୍ତି । ବିଶ୍ୱକର୍ମାଙ୍କ ଉପସ୍ଥିତିରେ ଭୋଇ ସେବକଙ୍କ ସହଯୋଗ କ୍ରମେ କମାର ସେବକମାନେ ଏହି କାର୍ଯ୍ୟ କରିଛନ୍ତି । କଣ୍ଟା ପକାଇବାର ପଦ୍ଧତି ସ୍ୱତନ୍ତ୍ର । ଅତି କମ୍ରେ ୨୦ଜଣ ଲାଗିଲେ ଗୋଟିଏ କଣ୍ଟା ପିଟା ଯାଉଛି । ସେଥିରେ ପୁଣି ରହିଛି ପାରମ୍ପରିକ ଶୈଳୀ । ଘୋଡ଼ା, ଗୁଣ୍ଠି ଓ ମଡ଼ାଣ ଲାଗୁଛି । ଘୋଡ଼ା ହେଉଛି ଗୋଟିଏ ଲମ୍ବା କାଠ ଗଣ୍ଡି । ଗୁଣ୍ଠି(ନିଦା କାଠ ଫାଳି) ଅଖକୁ ଦମ୍ଭ ଦେଉଛି । ମଡ଼ାଣ ଉପରେ ରହୁଛି ଘୋଡ଼ା । ମଡ଼ାଣ ହେଉଛି ଏକ ଛୋଟ ଗୋଲାକୃତି କାଠ ଗଡ଼ । ଘୋଡ଼ା ଉପରେ ବସିବା ଓ ଠିଆ ହେବା ଅବସ୍ଥାରେ ରହୁଛନ୍ତି ପ୍ରାୟ୧୦ ଜଣ ଭୋଇ ସେବକ । ତାଳଧ୍ୱଜର ମୁଖ୍ୟ କମାର ସେବକ ଜଗନ୍ନାଥ ମହାରଣା କୁହନ୍ତି ଘୋଡ଼ା ଲାଗିଲେ ଦଣ୍ଡା ଓ ଅଖ ଟାଇଟ୍ ହୋଇ ରୁହେ । କଣ୍ଟା ବାଡ଼େଇବାରେ ସହାୟକ ହୋଇଥାଏ । ନଚେତ୍ ହାତୁଡ଼ି ମାଡ଼ ଠିକ୍ ଭାବେ ହେବ ନାହିଁ । ଅଖ ମଧ୍ୟ ଫାଟିପାରେ । ଘଡ଼ିମୁହଁ କଣ୍ଟା ପିଟିବାକୁ ୫ଜଣ କମାର । ଉପରୁ ଦୁଇଜଣ ୨ଟି ହାତୁଡ଼ିରେ ଲଗାତର ପିଟି କଣ୍ଟାକୁ ଭୁଞ୍ଜାଇବା ପରେ ତଳେ ଠିଆ ହୋଇ ଆଉ ଜଣେ କମାର ଅଗ ପାତଳକୁ ଅଖରେ ମୋଡ଼ି ଦିଅନ୍ତି । ଚକ ବାହାରକୁ ଘଡ଼ିମୁହଁ ଓ ଦଣ୍ଡାବିଡ଼ିଆ କଣ୍ଟା ପଡ଼ି ବାନେ୍ଧଣି ହେଲା ପରେ ଚକ ଭିତରକୁ ପୋଖରୀଆରେ ଚଉରସ କଣ୍ଟା ପଡ଼ିବବୋଲି ଅନ୍ୟ ଜଣେ କମାର ସେବକ ଅର୍ଜୁନ ମହାରଣା କହିଛନ୍ତି ।
Comments are closed, but trackbacks and pingbacks are open.