{ ଜଗତସିଂହପୁରରୁ ରାକେଶ କୁମାର ରାୟଙ୍କ ରିପୋର୍ଟ } : ଦୁର୍ନୀତି ଏପରି ଏକ ବିଷବୃକ୍ଷ ଯାହା ଦେଶ ତଥା ରାଜ୍ୟର ପ୍ରଗତି ପଥରେ ସାଜିଛି ପ୍ରତିବନ୍ଧକ। ତେଣୁ ଓଡିଶା ସରକାରଙ୍କ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅକ୍ଟୋବର ୨୮ତାରିଖ ଠାରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି।ଏଥିପାଇଁ ଜିଲ୍ଲା ସ୍ତରରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭା ର ଆୟୋଜନ କରାଯାଇଥିଲା । ‘ସତ୍ୟନିଷ୍ଠ ସଂସ୍କୃତି ହିଁ ରାଷ୍ଟ୍ର ସମୃଦ୍ଧି ର ଭିତ୍ତି’ ମୂଳମନ୍ତ୍ର ରେ ଆୟୋଜିତ ଏହି ସଭାରେ ମୁଖ୍ଯ ଅତିଥି ଭାବେ ଯୋଗଦେଇ ମାନ୍ୟବର ବିଧାୟକ, ଜଗତସିଂହପୁର, ଶ୍ରୀ ଅମରେନ୍ଦ୍ର ଦାସ ଉପସ୍ଥିତ ସମସ୍ତ ଙ୍କୁ ଦୁର୍ନୀତି କୁ ପ୍ରଶ୍ରୟ ନଦେଇ ସମସ୍ତଙ୍କ ସହଯୋଗ ରେ ଏହାକୁ ବିରୋଧ କରିବାକୁ କହିଥିଲେ। ବର୍ତ୍ତମାନ ସରକାରଙ୍କ ତରଫରୁ ସମସ୍ତ କାର୍ଯ୍ୟ ଅନଲାଇନ ଜରିଆରେ ହେଉଥିବାରୁ ସ୍ଵଚ୍ଛତା ଆସିପାରିଛି।ତେଣୁ ସମସ୍ତଙ୍କ ର ସହଯୋଗରେ ତଥା ଦୁର୍ନୀତି ବିରୁଦ୍ଧରେ ସ୍ଵର ଉତ୍ତୋଳନ କରି ପାରିଲେ ଏକ ଦୁର୍ନୀତି ମୁକ୍ତ ସମାଜ ଗଠନ ହୋଇପାରିବ ବୋଲି ଶ୍ରୀ ଦାସ କହିଥିଲେ। ସଭାରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦ ର ସଭାପତି ଶ୍ରୀ ମନୋଜ କୁମାର ଭୋଇ ସଚେତନତା ଓ ସହଭାଗିତା ଦ୍ବାରା ଦୁର୍ନୀତିମୁକ୍ତ ସମାଜ ଗଠନ ସମ୍ଭବ ବୋଲି କହିଥିଲେ। ସଭାରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଜେ ସୋନାଲ କହିଲେ ଯେ,ଦୁର୍ନୀତି ଏକ ବିକୃତ ମାନସିକତା ଏବଂ ସ୍ଵଚ୍ଛତା ଓ ସତ୍ୟନିଷ୍ଠତା ହିଁ ସମାଜ ରେ ପରିବର୍ତ୍ତନ ଆଣିପାରିବ ।ଆଜିର ଏ ଆଇ ଯୁଗରେ ପ୍ଲାଟୋ, ମାର୍କସ ଙ୍କ ଆଦର୍ଶ ର ଉଦାହରଣ କୁ ଦୃଷ୍ଟାନ୍ତ କରି ଚାରିତ୍ରିକ ସ୍ବଚ୍ଛତା ଉପରେ ଗୁରୁତ୍ବ ଦେଇଥିଲେ ଜିଲ୍ଲାପାଳ। ସମସ୍ତଙ୍କ ସହଯୋଗ ରେ ସଚ୍ଚୋଟତାର ସହିତ ଆମର ଭବିଷ୍ୟତ ପୀଢି ପାଇଁ ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ନିମନ୍ତେ , ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ସର୍ବଦା ସତ୍ଯ ପଥରେ ଯିବାପାଇଁ ଜିଲ୍ଲାପାଳ ଉପଦେଶ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଯୋଗଦେଇ ଆରକ୍ଷୀ ଅଧିକ୍ଷକ ଶ୍ରୀ ଭବାନୀ ଶଙ୍କର ଉଦଗାତା ଦୁର୍ନୀତି ନିବାରଣ ଓ ସାମାଜ କୁ ସଚେତନ କରିବା ପ୍ରତ୍ୟେକଙ୍କର କର୍ତ୍ତବ୍ୟ ତେଣୁ ସଜାଗ ଓ ସତର୍କ ରହି, ସତ୍ୟନିଷ୍ଠ ଦାୟିତ୍ଵ ପାଳନ ଦ୍ଵାରା ଦୁର୍ନୀତି ନିବାରଣ ହୋଇପାରିବ ବୋଲି ଶ୍ରୀ ଉଦଗାତା କହିଥିଲେ। ପୌର ପରିଷଦ ର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ମଧ୍ୟ ଦୁର୍ନୀତି କୁ ଏକ ବ୍ୟାଧି ରୂପେ ଅଭିହିତ କରି ସଚେତନତାକୁ ଏହାର ପ୍ରତିକାର ବୋଲି କହିଥିଲେ। ସଭାରେ ଉପ ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ ସତ୍ୟନିଷ୍ଠ ସାଧୁତା ହିଁ ଦୁର୍ନୀତି ମୂଳ ଉତ୍ପାଟନ କରିବା ନିମନ୍ତେ ସହାୟକ ବୋଲି କହିଥିଲେ। ଶେଷରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଆୟୋଜିତ ବିଦ୍ୟାଳୟଓ ମହାବିଦ୍ୟାଳୟ ସ୍ତରୀୟ ଓଡିଆ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।ଏହି ପରିପ୍ରେକ୍ଷୀରେ ଆଜି ସକାଳ ୮ ଟାରେ ସ୍ଥାନୀୟ ଶ୍ରୀକୃଷ୍ଣ ଏକାଡେମୀ ଠାରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ମାନ୍ୟବର ବିଧାୟକ ଜଗତସିଂହପୁର, ଶ୍ରୀ ଅମରେନ୍ଦ୍ର ଦାସ,ଜଗତସିଂହପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ପତାକା, ଡି ପି ଓ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ଦୁର୍ନୀତି ନିବାରଣ ବିଭାଗର ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଅନୁପମା ସାହୁ,ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଡିପିସି, ମିଶନ ଶକ୍ତି, ଡି ପି ଏମ, ଓ ଏଲ ଏମ,ଜିଲ୍ଲା ସ°ସ୍କୃତି ଅଧିକାରୀ, ଭିଜିଲାନ୍ସ ଇନିସପେକ୍ଟର ଶ୍ରୀ ସିଦ୍ଧାର୍ଥ କୁମାର ରାଉତ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ , ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ,ମିଶନ ଶକ୍ତି ମହିଳା, ଏନ୍.ସି.ସି,ସ୍କାଉଟ, ଗାଇଡ ଛାତ୍ରଛାତ୍ରୀ,ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଏହି ଶୋଭାଯାତ୍ରାରେ ଯୋଗଦେଇଥିଲେ।ପରେ ଜିଲ୍ଲା ସଂସ୍କୃତି ବିଭାଗ ଆନୁକୁଲ୍ୟ ରେ ମୁଖ୍ଯ ଡାକଘର ସମ୍ମୁଖରେ ବାଣୀକ୍ଷେତ୍ର ନାଟ୍ଯ ପରିଷଦ, ଜଗତସିଂହପୁର, ଦ୍ବାରା ଏକ ଦୁର୍ନୀତି ନିବାରଣ ସଚେତନତାଧର୍ମୀ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା। ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ମିଶନ ଶକ୍ତି ମହିଳା ମାନଙ୍କ ଦ୍ଵାରା ଦୁର୍ନୀତି ନିବାରଣ ସଚେତନତା ବିଷୟ ସମ୍ବଳିତ ରଙ୍ଗୋଲି ପ୍ରଦର୍ଶିତ ହୋଇଥିଲା।ଆଜିର ଆୟୋଜିତ ଏହି ସଭାରେ ଦୁର୍ନୀତି ନିବାରଣ ବିଭାଗର ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଅନୁପମା ସାହୁ ସ୍ବାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ। ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀ ସୁଭାଷ କୁମାର ରାଉତ ସଭା ପରିଚାଳନା କରିଥିଲେ।ସଭାରେ ଅନ୍ୟମାନଙ୍କ ମଧ୍ଯରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ, ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ ,ବିଭିନ୍ନ ବିଭାଗର ଅଧିକାରୀ,ସ୍କୁଲ କଲେଜ ର ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ,ସ୍ବୟଂ ସହାୟକ ଗୋଷ୍ଠୀ ର ମହିଳା , ସହରର ବରିଷ୍ଠ ନାଗରିକ,ବୁଦ୍ଧିଜୀବୀ ଏବଂ ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।
Comments are closed, but trackbacks and pingbacks are open.