{ ଜଗତସିଂହପୁରରୁ ରାକେଶ କୁମାର ରାୟଙ୍କ ରିପୋର୍ଟ } : ଆଜି ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡିଆରେ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦ୍ଘାଟିତ ହୋଇଯାଇଅଛି I ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁଥିବା ଏହି ମେଳାରେ ମାନ୍ୟବର ମନ୍ତ୍ରୀ, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ଓଡିଶା ସରକାର, ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଏବଂ ମାନ୍ୟବର ବିଧାୟକ,ଜଗତସିଂହପୁର, ଶ୍ରୀ ଅମରେନ୍ଦ୍ର ଦାସ ମୁଖ୍ୟ ବକ୍ତା ରୂପେ ଯୋଗଦାନ କରିଥିଲେ I ଏହି ସଭାରେ ଜିଲ୍ଲାପାଳ ଶ୍ରୀ ଜେ. ସୋନାଲ (ଭା.ପ୍ର.ସେ.) ଅଧ୍ୟକ୍ଷତା କରିଥିଲେ I ସର୍ବପ୍ରଥମେ ପଥପ୍ରାନ୍ତ ନାଟକ ମାଧ୍ୟମରେ ସମସ୍ତଙ୍କୁ ସ୍ୱାଗତ କରାଯାଇଥିଲା I ଏହାପରେ ପ୍ରଦୀପ ପ୍ରଜ୍ବଳନ କରି ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ କରାଯାଇଥିଲା I ମୁଖ୍ୟ ଅତିଥି ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ତାଙ୍କ ଅଭିଭାଷଣରେ କହିଲେ ଯେ, ବିଭିନ୍ନ ଚାଷୀ ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକାର ଙ୍କ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, କାମଧେନୁ ଯୋଜନା, ଗୋଶାଳା ପ୍ରତିଷ୍ଠା, ପ୍ରାଣୀ ସମୃଦ୍ଧି ଯୋଜନା ତଥା ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବି ଯୋଜନା ପ୍ରମୁଖ କାର୍ଯ୍ୟକାରୀ ହେଉଛି, ଜିଲ୍ଲା ରେ ତାହାର ସଫଳ ରୂପାୟନ ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଭାଗୀୟ ଅଧିକାରୀଙ୍କୁ ପ୍ରଶଂସା କରିଥିଲେ। ବର୍ତ୍ତମାନର ସରକାର ସମାନ୍ତରାଳ ବିକାଶ କୁ ଗୁରୁତ୍ବ ଦେଉଛନ୍ତି। ସମୃଦ୍ଧ ଓଡିଶା ତଥା ଜଗତସିଂହପୁର ଗଠନରେ ସମସ୍ତଙ୍କର ସହଭାଗିତା ଆବଶ୍ୟକ ବୋଲି ସେ କହିଥିଲେ।ମୁଖ୍ୟ ବକ୍ତା ତଥା ଜଗତସିଂହପୁର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ ମଧ୍ୟ ଅନୁରୂପ ଭାବେ ମତ୍ସ୍ୟ ଓ ପ୍ରାଣୀ ପାଳନ ବିଭାଗକୁ ପ୍ରସଂଶା କରିଥିଲେ ଏବଂ ବିଶେଷ କରି କୁକୁଡ଼ା ପାଳନ, ଘୁଷୁରୀ ପାଳନ ତଥା ମତ୍ସ୍ୟ ପାଳନକୁ ଗୁରୁତ୍ୱ ଦେବାକୁ କହିଥିଲେ I ଦୁଗ୍ଧ ଚାଷୀଙ୍କ ନିମନ୍ତେ ଅଧିକ ସମବାୟ ସମିତି ଖୋଲିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ବୁଲା ଗୋରୁ ଗାଈ ଙ୍କ ପାଇଁ ୯୦ପ୍ରତିଶତ ରିହାତି ରେ ଗୋଶାଳା ସ୍ଥାପନ ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ବର୍ତ୍ତମାନ୍ ଜିଲ୍ଲା ରେ ଧଳା ଘୁଷୁରୀ ଚାଷ, ଜିଆ ଚାଷ, କୁକୁଡ଼ା ଚିଆଁ ଉତ୍ପାଦନ ରେ ଚାଷୀ ମାନେ ଅଧିକ ଆଗ୍ରହ ପ୍ରକାଶ କରିଛନ୍ତି ବୋଲି ବିଧାୟକ କହିଥିଲେ। ସଭାରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଜେ. ସୋନାଲ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ପାଳନ ବିଭାଗରେ ଆଗତ ବିଭିନ୍ନ ଯୋଜନା ଓ ତାହାର ଜିଲ୍ଲାରେ ସଫଳ ରୂପାୟନ ନିମନ୍ତେ ସନ୍ତୋଷ ପ୍ରକାଶ କରିଥିଲେ I ଆସନ୍ତା ୫ ରୁ ୬ ବର୍ଷ ମଧ୍ୟରେ ଏହି ବିଭାଗ ଦ୍ୱାରା ଚାଷୀଙ୍କ ଆୟ ବହୁଗୁଣରେ ବଢିବାର ସେ ଆଶା ବ୍ୟକ୍ତ କରିଥିଲେ କାରଣ ଆଜିର ସମୟରେ କେବଳ ପ୍ରାଣୀ ପାଳନ ଏବଂ ମତ୍ସ୍ୟ ଚାଷରେ ହିଁ ବହୁତ ସମ୍ଭାବନା ରହିଅଛି ବୋଲି ସେ କହିଥିଲେ। ଆଗାମୀ ଦିନରେ ଗଭୀର ସମୁଦ୍ର ରେ ମାଛ ଧରିବା ପାଇଁ ବିଭିନ୍ନ କଳା କୌଶଳ ର ଶିକ୍ଷା ଦିଆଯିବ ବୋଲି ଜିଲ୍ଲାପାଳ କହିଥିଲେ।ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା କୈଳାଶ ଚନ୍ଦ୍ର ମଲ୍ଲିକ ସ୍ୱାଗତ ସମ୍ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହାପରେ ମୁଖ୍ୟ ଅତିଥି ତଥା ଅନ୍ୟ ଅତିଥିବୁନ୍ଦ ଗୋ ପୂଜନ କରିବା ସହ ଜୀବନ୍ତ ପ୍ରାଣୀ ଓ ମତ୍ସ୍ୟ ସମ୍ପଦର ପ୍ରଦର୍ଶନୀ ଦେଖିଥିଲେ I
ଏହି ଅବସର ରେ ମଂଚ ଉପରେ କିଛି ସଫଳ ଚାଷୀଙ୍କ କାହାଣୀ ପରଦା ଉପରେ ଦେଖା ଯାଇଥିଲା ଯାହାକି ଅନ୍ୟ ଚାଷୀଙ୍କ ନିମନ୍ତେ ପ୍ରେରଣାଦାୟୀ ହେବାସହ ପଥପ୍ରଦର୍ଶକ ହୋଇଥିଲା I ଜିଲ୍ଲାର ଚାଷୀ ଭାଇ ଓ ଭଉଣୀମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଏରସମା ବ୍ଲକର ଶ୍ରୀମତୀ ବସନ୍ତ ମଞ୍ଜରୀ ସାହୁଙ୍କୁ ଶ୍ରେଷ୍ଠ ଘୁଷୁରୀ ପାଳନ , ଜଗତସିଂହପୁର ବ୍ଲକର ଶ୍ରୀମତୀ ମଞ୍ଜୁଲତା ରାୟଙ୍କୁ ଶ୍ରେଷ୍ଠ ଜୈବ ପୁଞ୍ଜ ମତ୍ସ୍ୟ ଚାଷ , ଜଗତସିଂହପୁର ବ୍ଲକର ମା ଭଗବତୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଉନ୍ନତ କୁକୁଡ଼ା ପାଳନ ଏବଂ ନାଉଗାଁ ବ୍ଲକର ଜୟଜଗନ୍ନାଥ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଉନ୍ନତ ମତ୍ସ୍ୟ ଚାଷ ନିମନ୍ତେ ପୁରସ୍କୃତ କରାଯାଇଥିଲା I ପରିଶେଷରେ ଜିଲ୍ଲା ମତ୍ସ୍ୟ ଅଧିକାରୀ କୁମାରୀ ରେଶମାରାଣୀ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ I
ଏହି ଅବସରରେ ମେଳାରେ ଆୟୋଜିତ ବିଭିନ୍ନ ବିଭାଗର ପ୍ରଦର୍ଶନୀ ଓ ଜୀବନ୍ତ ପ୍ରାଣୀ ଏବଂ ମତ୍ସ୍ୟ ସମ୍ପଦର ପ୍ରଦର୍ଶନକୁ ସଭିଏଁ ବୁଲି ଦେଖିଥିଲେ I ମଧ୍ୟାହ୍ନ ଭୋଜନ ପରେ ଚାଷୀ ଓ ବୈଜ୍ଞାନିକ ମାନଙ୍କ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ସମସ୍ତ ଚାଷୀ ଭାଇ ଓ ଭଉଣୀ ମାନଙ୍କ ପ୍ରଶ୍ନର ଉତ୍ତର ବିଶେଷଜ୍ଞମାନଙ୍କ ଦ୍ୱାରା ଦିଆଯାଇଥିଲା ତଥା ଉନ୍ନତ ଏବଂ ଆଧୁନିକ ଚାଷ ପ୍ରଣାଳୀ ବିଷୟରେ ଅବଗତ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ାଃ ପ୍ରସନ୍ନ କୁମାର ପୃଷ୍ଟି, ସମ୍ପାଦକ ପି ଏଫ ଏ ଶ୍ରୀ ଅମୁଲ୍ୟ କୁମାର ନାୟକ, ମତ୍ସ୍ୟ ବିଭାଗ ଉପ ନିର୍ଦ୍ଦେଶକ ଶ୍ରୀ ସୁବ୍ରତ କୁମାର ଦାଶ ଏବଂ ଜଳକୃଷି ଉପଦେଷ୍ଟା ଶ୍ରୀ ଜୟ ପ୍ରକାଶ ମହାପାତ୍ର ପ୍ରମୁଖ ବିଶେଷଜ୍ଞ ଭାବେ ଯୋଗ ଦେଇଥିଲେ I ପରିଶେଷରେ ଓଡିଶୀ ନୃତ୍ୟ, ଘୋଡା ନାଚ ଓ ଘଟ ନାଚ ପରି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ମତ୍ସ୍ୟ ଓ ପ୍ରାଣିସମ୍ପଦ ବିଭାଗର ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିବା ସହ ପରିଚାଳନାରେ ସାହାଯ୍ୟ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ର ବିଭିନ୍ନ ବ୍ଲକ୍ ରୁ ଆସିଥିବା ଚାଷୀ, ସହର ର ବୁଦ୍ଧିଜୀବି, ଜନ ସାଧାରଣ, ବିଭାଗୀୟ ଅଧିକାରୀ ତଥା ଗଣ ମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।
Comments are closed, but trackbacks and pingbacks are open.